ଶିକ୍ଷକଙ୍କ ପାଠ୍ୟ ଡାଏରୀ (Lesson Diary)

ଶ୍ରେଣୀ: ଅଷ୍ଟମ (Class 8)

ବିଷୟ: ("ଜିଜ୍ଞାସା" - ତୃତୀୟ ଅଧ୍ୟାୟ: ସ୍ୱାସ୍ଥ୍ୟ ହିଁ ସମ୍ପଦ)

ଅବଧି (Period): ୧୦ ଦିନ (ପ୍ରତି ଦିନର ସମୟ: ୪୦ ମିନିଟ୍)

ପଦ୍ଧତି: ପଞ୍ଚପଦୀ ପଦ୍ଧତି (୧. ଅଧୀତି, ୨. ବୋଧ, ୩. ଅଭ୍ୟାସ, ୪. ପ୍ରୟୋଗ, ୫. ପ୍ରସାର)

ପ୍ରଥମ ଦିନ (Period 1): ସ୍ୱାସ୍ଥ୍ୟ କ’ଣ? (ଶାରୀରିକ, ମାନସିକ ଓ ସାମାଜିକ ସୁସ୍ଥତା)

  • ଅଧୀତି (Adhiti): ଶ୍ରେଣୀ ଆରମ୍ଭରେ ମୁଁ ପିଲାମାନଙ୍କୁ ପଚାରିବି, "ଯଦି ଜଣେ ବ୍ୟକ୍ତିର ଜ୍ୱର କିମ୍ବା କାଶ ନାହିଁ, ତେବେ କ’ଣ ତାକୁ ସମ୍ପୂର୍ଣ୍ଣ ସୁସ୍ଥ କୁହାଯାଇପାରିବ?" ଏହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ସଂଜ୍ଞା ବିଷୟରେ ଆଲୋଚନା କରି ପାଠ ଆରମ୍ଭ କରିବି।
  • ବୋଧ (Bodh): ସ୍ୱାସ୍ଥ୍ୟ କହିଲେ କେବଳ ରୋଗ ନ ହେବାକୁ ବୁଝାଏ ନାହିଁ; ବରଂ ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥତାର ସମଷ୍ଟିକୁ ବୁଝାଏ ବାସ୍ତବିକ ବୁଝାଇବି। ଉଦାହରଣ ସ୍ୱରୂପ, ପାଠ୍ୟପୁସ୍ତକର କାର୍ଯ୍ୟ ୩.୧ ର ଅଷ୍ଟମ ଶ୍ରେଣୀର ନୂଆ ପିଲାଟିର ଏକଲାପଣ ଓ ମୁଣ୍ଡବିନ୍ଧା ଉଦାହରଣ ଦେଇ ମାନସିକ ଓ ସାମାଜିକ ସ୍ୱାସ୍ଥ୍ୟର ଗୁରୁତ୍ୱ ବୁଝାଇବି।
  • ଅଭ୍ୟାସ (Abhyas): ପିଲାମାନଙ୍କୁ ଗୋଷ୍ଠୀରେ ଭାଗ କରି ସୁସ୍ଥ ଜୀବନର ଲକ୍ଷଣଗୁଡ଼ିକ କଣ ତାହା ଲେଖିବାକୁ କହିବି।
  • ପ୍ରୟୋଗ (Prayog): ଛାତ୍ରଛାତ୍ରୀମାନେ ନିଜ ଦୈନନ୍ଦିନ ଜୀବନରେ ଶାରୀରିକ ସ୍ୱାସ୍ଥ୍ୟ ସାଙ୍ଗକୁ ମାନସିକ ଶାନ୍ତି ପାଇଁ କିପରି ବନ୍ଧୁ ଓ ପରିବାର ସହ ସମୟ ବିତାଉଛନ୍ତି ତାହା କହିବେ।
  • ପ୍ରସାର (Prasar): ପିଲାମାନେ ନିଜ ପରିବାର ଓ ପଡ଼ୋଶୀମାନଙ୍କୁ ବୁଝାଇବେ ଯେ କେବଳ ଶରୀର ରୋଗମୁକ୍ତ ରହିଲେ ଚଳିବ ନାହିଁ, ମନ ମଧ୍ୟ ଖୁସି ରହିବା ଆବଶ୍ୟକ।

ଦ୍ୱିତୀୟ ଦିନ (Period 2): ସୁସ୍ଥ ଜୀବନଶୈଳୀ ଓ ଆମର ଦୈନନ୍ଦିନ ଅଭ୍ୟାସ

  • ଅଧୀତି (Adhiti): ଆମର ଦୈନନ୍ଦିନ ଅଭ୍ୟାସଗୁଡ଼ିକ ଆମ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଏ, ସେ ବିଷୟରେ ଆଲୋଚନା କରିବି।
  • ବୋଧ (Bodh): ସୁଷମ ଖାଦ୍ୟ, ନିୟମିତ ବ୍ୟାୟାମ, ପର୍ଯ୍ୟାପ୍ତ ନିଦ ଏବଂ ବ୍ୟକ୍ତିଗତ ପରିଚ୍ଛନ୍ନତାର ଗୁରୁତ୍ୱ ବୁଝାଇବି। ସେହିପରି ମୋବାଇଲ୍ ଫୋନ୍ରେ ଅଧିକ ସମୟ ବିତାଇବା ଓ ଡେରିରେ ଶୋଇବା ଦ୍ୱାରା କିପରି ସ୍ୱାସ୍ଥ୍ୟ ଖରାପ ହୁଏ ତାହା ବୁଝାଇବି।
  • ଅଭ୍ୟାସ (Abhyas): ପାଠ୍ୟପୁସ୍ତକର "କାର୍ଯ୍ୟ ୩.୨" ଅନୁଯାୟୀ ଭଲ ଅଭ୍ୟାସ ଓ ଖରାପ ଅଭ୍ୟାସଗୁଡ଼ିକର ଏକ ତାଲିକା ଖାତାରେ ପ୍ରସ୍ତୁତ କରାଇବି।
  • ପ୍ରୟୋଗ (Prayog): ପିଲାମାନେ ପ୍ରତିଦିନ ସକାଳ ଜଳଖ୍ୟା ଠିକ୍ ସମୟରେ ଖାଇବା ଏବଂ ମୋବାଇଲ୍ ବ୍ୟବହାର କମାଇବା ପାଇଁ ଏକ ନିଜସ୍ୱ ତାଲିକା (Routine) ପ୍ରସ୍ତୁତ କରିବେ।
  • ପ୍ରସାର (Prasar): ଏହି ସୁସ୍ଥ ଅଭ୍ୟାସଗୁଡ଼ିକୁ ନେଇ ଏକ ସଚେତନତା ପତ୍ର (Poster) ତିଆରି କରି ସ୍କୁଲ ନୋଟିସ ବୋର୍ଡ଼ରେ ଲଗାଇବେ।

ତୃତୀୟ ଦିନ (Period 3): ପରିବେଶ ଓ ସ୍ୱାସ୍ଥ୍ୟ (ବାୟୁ, ଜଳ ଏବଂ ପରିମଳ)

  • ଅଧୀତି (Adhiti): ପରିବେଶ ସଫା ନ ରହିଲେ ଆମେ କାହିଁକି ଅସୁସ୍ଥ ହୋଉ, ସେ ବିଷୟରେ ପଚାରି ପାଠ ଆରମ୍ଭ କରିବି
  • ବୋଧ (Bodh): ପାଠ୍ୟପୁସ୍ତକର କାର୍ଯ୍ୟ ୩.୩ (ଖେଳପଡ଼ିଆ ତୁଳନା) ଜରିଆରେ ପରିଷ୍କାର ପରିବେଶର ଆବଶ୍ୟକତା ବୁଝାଇବି। ବାୟୁ ପ୍ରଦୂଷଣ, AQI (Air Quality Index) ଏବଂ ଜଳ ପ୍ରଦୂଷଣ ଯୋଗୁଁ ହେଉଥିବା କାଶ, ଶ୍ୱାସରୋଗ ଓ ହଇଜା ଭଳି ରୋଗ ସମ୍ପର୍କରେ ତଥ୍ୟ ଦେବି।
  • ଅଭ୍ୟାସ (Abhyas): ପିଲାମାନେ ନିଜ ବିଦ୍ୟାଳୟ ଓ ଘର ଚାରିପାଖକୁ କିପରି ସ୍ୱଚ୍ଛ ରଖିବେ ସେଥିପାଇଁ ୫ଟି ପଦକ୍ଷେପ ଲେଖିବେ।
  • ପ୍ରୟୋଗ (Prayog): ବିଦ୍ୟାଳୟ ପରିସରରେ ଥିବା ଆବର୍ଜନାକୁ ସଫା କରିବା ଏବଂ ପାଣି ଜମିବାକୁ ନ ଦେବା ପାଇଁ ଏକ କ୍ଷୁଦ୍ର ଅଭିଯାନ କରିବୁ।
  • ପ୍ରସାର (Prasar): ଗାଁ କିମ୍ବା ସାହିରେ ଲୋକମାନଙ୍କୁ ଖୋଲା ସ୍ଥାନରେ ମଳତ୍ୟାଗ ନ କରିବା ଏବଂ ପାନୀୟ ଜଳକୁ ଫୁଟାଇ ପିଇବା ପାଇଁ ସଚେତନ କରାଇବେ।

ଚତୁର୍ଥ ଦିନ (Period 4): ରୋଗର ପ୍ରକାରଭେଦ (ସଂକ୍ରାମକ ଓ ଅଣ-ସଂକ୍ରାମକ ରୋଗ)

  • ଅଧୀତି (Adhiti): କିଛି ରୋଗ ଜଣଙ୍କଠାରୁ ଅନ୍ୟଜଣଙ୍କୁ ବ୍ୟାପିଥାଏ ଏବଂ କିଛି ରୋଗ ବ୍ୟାପେ ନାହିଁ, ଏହା କାହିଁକି ହୁଏ ପଚାରିବି।
  • ବୋଧ (Bodh): ସଂକ୍ରାମକ ରୋଗ (ଯଥ- ଟାଇଫଏଡ, ଡେଙ୍ଗୁ, କୋଭିଡ-୧୯) ଏବଂ ଅଣ-ସଂକ୍ରାମକ ରୋଗ (ଯଥା- ମଧୁମେହ, କର୍କଟ, ଉଚ୍ଚ ରକ୍ତଚାପ) ମଧ୍ୟରେ ପାର୍ଥକ୍ୟ ବୁଝାଇବି। ପାଠ୍ୟପୁସ୍ତକର ସାରଣୀ ୩.୧ ଏବଂ ୩.୨ ଆଲୋଚନା କରିବି।
  • ଅଭ୍ୟାସ (Abhyas): ଦିଆଯାଇଥିବା ବିଭିନ୍ନ ରୋଗଗୁଡ଼ିକୁ 'ସଂକ୍ରାମକ' 'ଅଣ-ସଂକ୍ରାମକ' ଭାବରେ ତାଲିକାଭୁକ୍ତ କରିବା କାର୍ଯ୍ୟ କରାଇବି।
  • ପ୍ରୟୋଗ (Prayog): ପରିବାରରେ କାହାର ଅଣ-ସଂକ୍ରାମକ ରୋଗ (ଯଥା ମଧୁମେହ) ଥିଲେ ତାଙ୍କର ଜୀବନଶୈଳୀ ଓ ଖାଦ୍ୟପେୟ କିପରି ହେବା ଉଚିତ୍ ତା’ର ଏକ ଚାର୍ଟ ପ୍ରସ୍ତୁତ କରିବେ।
  • ପ୍ରସାର (Prasar): ସାଙ୍ଗମାନଙ୍କ ମଧ୍ୟରେ ଜୀବନଶୈଳୀ ଜନିତ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନାଚକ୍ର କରିବେ।

ପଞ୍ଚମ ଦିନ (Period 5): ସଂକ୍ରାମକ ରୋଗର କାରଣ ଓ ବାହକ (Vectors)

  • ଅଧୀତି (Adhiti): ମଶା କାମୁଡ଼ିଲେ କେଉଁ ସବୁ ରୋଗ ହୁଏ? ପିଲାମାନଙ୍କୁ ପଚାରିବି।
  • ବୋଧ (Bodh): ବାୟୁ, ଜଳ ଏବଂ କୀଟପତଙ୍ଗ (ବାହକ ବା Vectors ଯଥା- ମାଈ ଏନୋଫିଲିସ୍ ମଶା) ଦ୍ୱାରା ରୋଗ କିପରି ବ୍ୟାପେ ତାହା ବୁଝାଇବି। ମ୍ୟାଲେରିଆ ଓ ଡେଙ୍ଗୁର ଲକ୍ଷଣ ଏବଂ ପ୍ରତିଷେଧକ ବ୍ୟବସ୍ଥା ବିଷୟରେ ବିସ୍ତୃତ ଆଲୋଚନା କରିବି।
  • ଅଭ୍ୟାସ (Abhyas): ସାରଣୀ ୩.୧ ରୁ ରୋଗର ନାମ, କାରକ ଏବଂ ଲକ୍ଷଣର ପ୍ରଶ୍ନୋତ୍ତର ଅଭ୍ୟାସ କରାଇବି।
  • ପ୍ରୟୋଗ (Prayog): ଘରେ କିପରି ମଶାରି ବ୍ୟବହାର କରାଯିବ ଏବଂ ପୁରୁଣା ଟାୟାର କିମ୍ବା ପାତ୍ରରେ ପାଣି ଜମିବାକୁ ଦିଆଯିବ ନାହିଁ, ତାହାର ଏକ ମଡେଲ କିମ୍ବା ତାଲିକା ବନାଇବେ।
  • ପ୍ରସାର (Prasar): ବର୍ଷାଦିନେ ମଶା ବଂଶବୃଦ୍ଧି ରୋକିବା ପାଇଁ ଗାଁରେ କିପରି ସଚେତନତା ସୃଷ୍ଟି କରାଯିବ ତାହାର ଏକ ପଥପ୍ରାନ୍ତ ନାଟକର ସ୍କ୍ରିପ୍ଟ ପ୍ରସ୍ତୁତ କରିବେ।

ଷଷ୍ଠ ଦିନ (Period 6): ରୋଗ ପ୍ରତିରୋଧକ ଶକ୍ତି (Immunity) ଓ ଟିକାକରଣ

  • ଅଧୀତି (Adhiti): ପିଲାମାନଙ୍କୁ ସେମାନେ ଛୋଟବେଳେ ନେଇଥିବା ବିଭିନ୍ନ ଟିକା (ଯଥା- ପୋଲିଓ ବୁନ୍ଦା) କାହିଁକି ନେଇଥିଲେ ପଚାରିବି।
  • ବୋଧ (Bodh): ଶରୀରର ରୋଗ ପ୍ରତିରୋଧକ ଶକ୍ତି (Immunity) ଏବଂ ଅର୍ଜିତ ପ୍ରତିରକ୍ଷା ଶକ୍ତି (Acquired Immunity) କ’ଣ ବୁଝାଇବି। ଡାକ୍ତର ଏଡ଼ୱାର୍ଡ଼ ଜେନରଙ୍କ ବସନ୍ତ ଟିକା ଆବିଷ୍କାରର ଇତିହାସ ଏବଂ ଭାରତର ଟିକା ଉତ୍ପାଦନରେ ଅବଦାନ ସମ୍ପର୍କରେ ପଢ଼ାଇବି।
  • ଅଭ୍ୟାସ (Abhyas): ଟିକା କିପରି କାମ କରେ ଏବଂ ଏହା ରୋଗର ଚିକିତ୍ସା ନୁହେଁ ବରଂ ପ୍ରତିରୋଧକ, ତାହା ଉପରେ ସଂକ୍ଷିପ୍ତ ଟିପ୍ପଣୀ ଲେଖିବେ।
  • ପ୍ରୟୋଗ (Prayog): ଛୋଟ ପିଲାମାନଙ୍କୁ ଟିକା ଦେବାର ଗୁରୁତ୍ୱ ବୁଝାଇବା ପାଇଁ ଏକ ପୋଷ୍ଟର ପ୍ରସ୍ତୁତ କରିବେ।
  • ପ୍ରସାର (Prasar): ଗ୍ରାମାଞ୍ଚଳରେ ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଭିଭାବକମାନଙ୍କୁ କିପରି ବୁଝାଇବେ ତାହାର ଉପାୟ ଆଲୋଚନା କରିବେ।

ସପ୍ତମ ଦିନ (Period 7): ରୋଗର ଚିକିତ୍ସା ଓ ଆଣ୍ଟିବାୟୋଟିକର ଅବିଚାରିତ ବ୍ୟବହାର

  • ଅଧୀତି (Adhiti): ଜ୍ୱର କିମ୍ବା ଥଣ୍ଡା ହେଲେ ଆମେ କାହିଁକି ଡାକ୍ତରଙ୍କ ପାଖକୁ ଯାଉ ଏବଂ ଆଣ୍ଟିବାୟୋଟିକ ଖାଉ, ସେ ବିଷୟରେ ଆଲୋଚନା କରିବି।
  • ବୋଧ (Bodh): ଆଲେକ୍ଜାଣ୍ଡର ଫ୍ଲେମିଂଙ୍କ ଦ୍ୱାରା ପେନିସିଲିନ୍ ଆବିଷ୍କାର ଏବଂ ଆଣ୍ଟିବାୟୋଟିକ କେବଳ ବ୍ୟାକ୍ଟେରିଆ ଜନିତ ରୋଗରେ କାମ କରେ, ଭୂତାଣୁ (Virus) ରେ ନୁହେଁ ବୁଝାଇବି। ଆଣ୍ଟିବାୟୋଟିକ ପ୍ରତିରୋଧ (Antibiotic Resistance) କାହିଁକି ଏକ ବଡ଼ ବିପଦ ତାହା ଚିତ୍ର ୩.୫ ସାହାଯ୍ୟରେ ବୁଝାଇବି।
  • ଅଭ୍ୟାସ (Abhyas): ବିନା ଡାକ୍ତରୀ ପରାମର୍ଶରେ ଆଣ୍ଟିବାୟୋଟିକ ଖାଇଲେ କଣ କ୍ଷତି ହୁଏ ତାହା ଖାତାରେ ଲେଖିବେ।
  • ପ୍ରୟୋଗ (Prayog): ଘରେ କାହାର ଅସୁସ୍ଥତା ସମୟରେ ଡାକ୍ତରଙ୍କ ପରାମର୍ଶ ବିନା ପୁରୁଣା ଔଷଧ ବା ଆଣ୍ଟିବାୟୋଟିକ ନ ଖାଇବାକୁ ଶପଥ ନେବେ।
  • ପ୍ରସାର (Prasar): ଆଣ୍ଟିବାୟୋଟିକ ପ୍ରତିରୋଧର ଭୟାବହତା ସମ୍ପର୍କରେ ସାଙ୍ଗମାନଙ୍କୁ ସଚେତନ କରିବେ।

ଅଷ୍ଟମ ଦିନ (Period 8): ଆୟୁର୍ବେଦ ଓ ପାରମ୍ପରିକ ଚିକିତ୍ସା ପଦ୍ଧତି

  • ଅଧୀତି (Adhiti): ଆମ ଘରେ ଦେଶୀ ଉପଚାର କିମ୍ବା ଆୟୁର୍ବେଦ କିପରି ବ୍ୟବହାର ହୁଏ, ତାହା ପଚାରିବି।
  • ବୋଧ (Bodh): ଆୟୁର୍ବେଦ, ସିଦ୍ଧ ଓ ୟୁନାନି ପଦ୍ଧତିରେ ବାତ, ପିତ ଓ କଫର ସନ୍ତୁଳନ ରକ୍ଷା କରି କିପରି ରୋଗ ନିରାକରଣ କରାଯାଏ ତାହା ବୁଝାଇବି। ଦିନଚର୍ଯ୍ୟା ଓ ଋତୁଚର୍ଯ୍ୟାର ମହତ୍ତ୍ୱ ବୁଝାଇବି।
  • ଅଭ୍ୟାସ (Abhyas): ରୋଗ ନିବାରଣ ପାଇଁ ପ୍ରାକୃତିକ ଉପାୟ ଓ ଘରୋଇ ବଇଦ ପୁସ୍ତକର ଗୁରୁତ୍ୱ ଉପରେ ପ୍ରଶ୍ନୋତ୍ତର ଅଭ୍ୟାସ କରିବେ।
  • ପ୍ରୟୋଗ (Prayog): ରୋଷେଇଘରର ବିଭିନ୍ନ ମସଲା (ଯଥା- ହଳଦୀ, ଅଦା, ଜୀରା) ର ଔଷଧୀୟ ଗୁଣଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିବେ।
  • ପ୍ରସାର (Prasar): ପ୍ରାକୃତିକ ଖାଦ୍ୟାଭାସ ଓ ଯୋଗ-ପ୍ରାଣାୟାମକୁ ଦୈନନ୍ଦିନ ଜୀବନରେ ଆପଣାଇବା ପାଇଁ ପରିବାରକୁ ପରାମର୍ଶ ଦେବେ।

ନବମ ଦିନ (Period 9): ଅଧ୍ୟାୟଗତ ପ୍ରଶ୍ନୋତ୍ତର ଓ ଗ୍ରାଫ୍ ପରୀକ୍ଷଣ (ଡେଙ୍ଗୁ ମାମଲା ବିଶ୍ଳେଷଣ)

  • ଅଧୀତି (Adhiti): ପାଠ୍ୟପୁସ୍ତକର ଅଭ୍ୟାସରେ ଥିବା ପ୍ରଶ୍ନଗୁଡ଼ିକର ସମାଧାନ ପାଇଁ ପିଲାମାନଙ୍କୁ ପ୍ରସ୍ତୁତ କରାଇବି।
  • ବୋଧ (Bodh): ପ୍ରଶ୍ନ ନଂ ୭ ର ଡେଙ୍ଗୁ ରୋଗୀଙ୍କ ସଂଖ୍ୟାକୁନେଇ ବାରଗ୍ରାଫ୍ (Bar Graph) କିପରି ତିଆରି ହେବ ଏବଂ କେଉଁ ମାସରେ ସର୍ବାଧିକ ରୋଗୀ ହୁଅନ୍ତି ତାହା ବୋର୍ଡ଼ରେ କରି ବୁଝାଇବି।
  • ଅଭ୍ୟାସ (Abhyas): ପିଲାମାନେ ନିଜ ଖାତାରେ ବାରଗ୍ରାଫ୍ ଅଙ୍କନ କରିବେ ଏବଂ (x), (xi), (xii), (xiii) ପ୍ରଶ୍ନର ଉତ୍ତର ନିଜେ ଲେଖିବେ।
  • ପ୍ରୟୋଗ (Prayog): ପରିବେଶର ପରିବର୍ତ୍ତନ ସହ ମଶାଙ୍କ ବଂଶବୃଦ୍ଧିର ସମ୍ପର୍କକୁ ବୁଝିବେ ଏବଂ ବର୍ଷାଋତୁ ପୂର୍ବରୁ ନିଜ ଅଞ୍ଚଳରେ କଣ ସତର୍କତା ନିଆଯିବ ତାହା ଲେଖିବେ।
  • ପ୍ରସାର (Prasar): ଏହି ଗ୍ରାଫ୍ ବିଶ୍ଳେଷଣରୁ ମିଳିଥିବା ତଥ୍ୟକୁ ପରିବାର ଏବଂ ସାଙ୍ଗମାନଙ୍କ ସହ ଆଲୋଚନା କରିବେ।

ଦଶମ ଦିନ (Period 10): ପ୍ରକଳ୍ପ କାର୍ଯ୍ୟ, ସ୍ୱାସ୍ଥ୍ୟ କାର୍ଡ ଓ ମୂଲ୍ୟାୟନ

  • ଅଧୀତି (Adhiti): ସମଗ୍ର ଅଧ୍ୟାୟରୁ ଆମେ କ’ଣ ଶିଖିଲେ ତାହାର ଏକ ପୁନରାବୃତ୍ତି (Revision) କରିବି।
  • ବୋଧ (Bodh): 'ଆବିଷ୍କାର, ପରିକଳ୍ପନା ଓ ତର୍କ' ଅନ୍ତର୍ଗତ ସ୍ୱାସ୍ଥ୍ୟ ଡାଏରୀ ପ୍ରସ୍ତୁତି ଏବଂ ବ୍ୟକ୍ତିଗତ 'ସ୍ୱାସ୍ଥ୍ୟ କାର୍ଡ' (Health Card) ରେ କ’ଣ ସବୁ ରହିବା ଦରକାର (ଯଥା- ଓଜନ, ଉଚ୍ଚତା, ରୋଗ ପ୍ରତିରୋଧକ ଟିକା ଇତ୍ୟାଦି) ତାହା ବୁଝାଇବି।
  • ଅଭ୍ୟାସ (Abhyas): ପିଲାମାନେ ନିଜର ଏକ ମଡେଲ୍ 'ସ୍ୱାସ୍ଥ୍ୟ କାର୍ଡ' ତିଆରି କରିବେ।
  • ପ୍ରୟୋଗ (Prayog): ସମସ୍ତ ପିଲା ନିଜ ନିଜର ସ୍ୱାସ୍ଥ୍ୟ କାର୍ଡ ଏବଂ ୧ ମାସର ସ୍ୱାସ୍ଥ୍ୟ ଡାଏରୀ ଶ୍ରେଣୀରେ ପ୍ରଦର୍ଶନ କରିବେ।
  • ପ୍ରସାର (Prasar): ସ୍ୱାସ୍ଥ୍ୟ ହିଁ ସମ୍ପଦ—ଏହି ମୂଲ୍ୟବୋଧକୁ ନେଇ ବିଦ୍ୟାଳୟରେ ଏକ କ୍ଷୁଦ୍ର ଶୋଭାଯାତ୍ରା କିମ୍ବା ସଚେତନତା ସଭା କରିବେ।