୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ୧୯୨୯ ମସିହାରୁ ୧୯୩୩ ମସିହା ପର୍ଯ୍ୟନ୍ତ ପୃଥ‌ିବୀରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟର କାରଣ ଓ ଫଳାଫଳ ସଂକ୍ଷେପରେ ବର୍ଣ୍ଣନା କର । ଉତ୍ତର: ପ୍ରଥମ ବିଶ୍ୱଯୁଦ୍ଧ ପରେ ଯୁଦ୍ଧ ସାମଗ୍ରୀ ଉତ୍ପାଦନ କରୁଥିବା କାରଖାନାଗୁଡ଼ିକ ବନ୍ଦ ହୋଇଯିବାରୁ ଅନେକ ଶ୍ରମିକ ବେକାର ହୋଇଗଲେ। ଲୋକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହେବାରୁ ବଜାରରେ ଶିଳ୍ପଜାତ ଦ୍ରବ୍ୟର ଚାହିଦା କମିଲା ଏବଂ କୃଷିଜାତ ଦ୍ରବ୍ୟ ବିକ୍ରୟ ହୋଇପାରିଲା ନାହିଁ। ଏହାର ଫଳସ୍ୱରୂପ ୧୯୨୯ରୁ ୧୯୩୩ ମଧ୍ୟରେ ଉତ୍କଟ ଅର୍ଥନୈତିକ ସଙ୍କଟ ଦେଖାଦେଲା। ଦେଶରେ ବେକାରି ଓ ଦାରିଦ୍ର୍ୟ ବୃଦ୍ଧି ପାଇଲା, ବ୍ୟାଙ୍କଗୁଡ଼ିକ ଅଚଳ ହୋଇଗଲା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ଶ୍ରମିକ ଆନ୍ଦୋଳନ ଆରମ୍ଭ ହେଲା।

(ଖ) ଫାସୀବାଦୀମାନେ ଇଟାଲୀ ଦେଶରେ କିପରି କ୍ଷମତା ବିସ୍ତାର କରିଥିଲେ ସଂକ୍ଷେପରେ ଲେଖ । ଉତ୍ତର: ପ୍ରଥମ ବିଶ୍ୱଯୁଦ୍ଧ ପରେ ଇଟାଲୀରେ ଦେଖାଦେଇଥିବା ଦାରିଦ୍ର୍ୟ, ବେକାରି ଓ ଶ୍ରମିକ ଆନ୍ଦୋଳନର ସୁଯୋଗ ନେଇ ମୁସୋଲିନୀଙ୍କ ନେତୃତ୍ୱରେ ଫାସୀବାଦୀ ଦଳ ସୁଦୃଢ଼ ହେଲା, ଯାହାକୁ ପୁଞ୍ଜିପତିମାନେ ସମର୍ଥନ କଲେ। ୧୯୨୧ ସାଧାରଣ ନିର୍ବାଚନରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ନ ପାଇବାରୁ ମୁସୋଲିନୀ ବଳପୂର୍ବକ କ୍ଷମତା ଦଖଲ ପାଇଁ ୧୯୨୨ ଅକ୍ଟୋବର ୨୮ରେ ରୋମ୍ ଅଭିମୁଖେ ଯାତ୍ରା କଲେ। ଭୟଭୀତ ହୋଇ ରାଜା ତୃତୀୟ ଭିକ୍ଟର୍ ଇମାନୁଏଲ୍ ତାଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କଲେ ଏବଂ ଅକ୍ଟୋବର ୨୯ରେ ସେ ଇଟାଲୀର ପ୍ରଧାନମନ୍ତ୍ରୀ ହୋଇ କ୍ଷମତା ଅଧିକାର କଲେ।

(ଗ) ଫାସୀବାଦ ପ୍ରତିଷ୍ଠା ଫଳରେ ଇଟାଲୀ ଦେଶର ଶାସନ କ୍ଷେତ୍ରରେ କି ପରିବର୍ତ୍ତନ ଦେଖାଦେଲା ? ଉତ୍ତର: ଫାସୀବାଦ ପ୍ରତିଷ୍ଠା ଫଳରେ ଇଟାଲୀରୁ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ଅବସାନ ଘଟି ଏକଦଳୀୟ ଏକଛତ୍ର ଶାସନ ପ୍ରତିଷ୍ଠିତ ହେଲା। ସମାଜବାଦୀ ଓ ସାମ୍ୟବାଦୀ ନେତାମାନଙ୍କୁ ହତ୍ୟା କିମ୍ବା ବନ୍ଦୀ କରାଗଲା ଏବଂ ଅନ୍ୟ ରାଜନୈତିକ ଦଳଗୁଡ଼ିକୁ ବେଆଇନ ଘୋଷଣା କରାଗଲା। ସଂସଦୀୟ ବ୍ୟବସ୍ଥା ଅକାମୀ ହେଲା, ସାର୍ବଜନୀନ ଭୋଟ୍ ପ୍ରଥା ଉଠାଇ ଦିଆଗଲା ଓ ସମ୍ବାଦପତ୍ରର ସ୍ୱାଧୀନତା କାଢ଼ି ନିଆଗଲା। ଦେଶର ସମସ୍ତ ଶାସନ କ୍ଷମତା କେବଳ ମୁସୋଲିନୀଙ୍କ ହାତରେ କେନ୍ଦ୍ରୀଭୂତ ହେଲା।

(ଘ) ହିଟଲର୍ ସମସ୍ତ କ୍ଷମତା ନିଜ ହାତରେ କେନ୍ଦ୍ରୀଭୂତ କରି ଜର୍ମାନୀରେ ଏକଛତ୍ର ଶାସନ ପ୍ରତିଷ୍ଠା କରିବାକୁ କି’ ପଦକ୍ଷେପମାନ ନେଲେ ? ଉତ୍ତର: ହିଟ୍‌ଲର୍ କ୍ଷମତାକୁ ଆସିବା ପରେ ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ନାଜି ଦଳକୁ ଜର୍ମାନୀର ଏକମାତ୍ର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଘୋଷଣା କଲେ। ସମାଜବାଦୀ, ସାମ୍ୟବାଦୀ ଓ ଶ୍ରମିକ ସଂଗଠନଗୁଡ଼ିକୁ ଭାଙ୍ଗି ଦେଇ ବିରୋଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା। ସମ୍ବାଦପତ୍ର ଓ ବେତାରକୁ ନିୟନ୍ତ୍ରଣ କରି ବ୍ୟକ୍ତି ସ୍ୱାଧୀନତା ଲୋପ କଲେ। ରାଷ୍ଟ୍ରପତି ହିଣ୍ଡେନ୍‌ବର୍ଗଙ୍କ ମୃତ୍ୟୁ ପରେ ସେ ଉଭୟ ରାଷ୍ଟ୍ରପତି ଓ ଚାନ୍‌ସେଲର୍‌ଙ୍କ କ୍ଷମତା ନିଜ ହାତକୁ ନେଇ ଜର୍ମାନୀର ସର୍ବମୟ କର୍ତ୍ତା ଓ ଏକଛତ୍ରବାଦୀ ଶାସକ ହେଲେ।

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ପ୍ରଥମ ବିଶ୍ଵଯୁଦ୍ଧର ଫଳ ସ୍ୱରୂପ ପୃଥ‌ିବୀରେ କି କି ସମସ୍ୟା ଦେଖା ଦେଇଥିଲା ? ଉତ୍ତର: ପ୍ରଥମ ବିଶ୍ଵଯୁଦ୍ଧର ଫଳସ୍ଵରୂପ ପୃଥ‌ିବୀରେ ରାଜନୈତିକ ଅସ୍ଥିରତା, ଅର୍ଥନୈତିକ ସଙ୍କଟ, ସମାଜବାଦୀ ଓ ସାମ୍ୟବାଦୀ ଆନ୍ଦୋଳନ ଏବଂ ଜାତୀୟତାବାଦୀ ଜନଜାଗରଣ ଆଦି ସମସ୍ୟା ଦେଖାଦେଇଥିଲା।

(ଖ) ୧୯୨୯ ମସିହାରୁ ୧୯୩୩ ମସିହା ପର୍ଯ୍ୟନ୍ତ ଦେଖାଦେଇଥିବା ଆନ୍ତର୍ଜାତିକ ଅର୍ଥନୈତିକ ସଙ୍କଟ ସମୟରେ କୃଷି ଉତ୍ପାଦନ କିପରି ପ୍ରଭାବିତ ହୋଇଥିଲା ? ଉତ୍ତର: ଯୁଦ୍ଧ ଯୋଗୁଁ ବାଣିଜ୍ୟ ବ୍ୟବସାୟ ବନ୍ଦ ହୋଇଯିବାରୁ କୃଷିଜାତ ଦ୍ରବ୍ୟ ବିକ୍ରୟ ହୋଇପାରିଲା ନାହିଁ ଏବଂ ଅଧିକ କୃଷି ଉତ୍ପାଦନ କରୁଥିବା ଦେଶଗୁଡ଼ିକ ଘୋର କ୍ଷତିଗ୍ରସ୍ତ ହେଲେ।

(ଗ) ଫାସୀବାଦ କାହାକୁ କୁହାଯାଏ ? ଏହାର ମୂଳ ଲକ୍ଷ୍ୟ କ’ଣ ? ଉତ୍ତର: ଇଟାଲୀର ଏକ ଉଗ୍ର ଜାତୀୟବାଦୀ ଦଳର ଚିନ୍ତାଧାରାକୁ ଫାସୀବାଦ କୁହାଯାଏ। ହିଂସାତ୍ମକ ପନ୍ଥାଦ୍ୱାରା ଜଣେ ବା ମୁଷ୍ଟିମେୟ ବ୍ୟକ୍ତିଙ୍କ ହାତରେ କ୍ଷମତା କେନ୍ଦ୍ରୀଭୂତ କରି ଏକଛତ୍ର ଶାସନ ପ୍ରତିଷ୍ଠା କରିବା ଏହାର ଲକ୍ଷ୍ୟ ଥିଲା।

(ଘ) କେଉଁସବୁ କାରଣ ଯୋଗୁଁ ଇଟାଲୀ ଦେଶରେ ଫାସୀବାଦର ବିକାଶ ହୋଇଥିଲା ? ଉତ୍ତର: ପ୍ୟାରିସ୍ ଶାନ୍ତି ସମ୍ମିଳନୀରେ ଇଟାଲୀର ନିରାଶା, ଦେଶରେ ଦେଖାଦେଇଥିବା ଉତ୍କଟ ଅର୍ଥନୈତିକ ସଙ୍କଟ, ଦାରିଦ୍ର୍ୟ, ବେକାରି ଏବଂ ଶ୍ରମିକ ଆନ୍ଦୋଳନ ଆଦି କାରଣ ଯୋଗୁଁ ଫାସୀବାଦର ବିକାଶ ହୋଇଥିଲା।

(ଙ) ‘କଳାକୁର୍ତ୍ତା ବାହିନୀ’ କେଉଁମାନଙ୍କୁ କୁହାଯାଉଥିଲା ? ସେମାନେ ମୁଖ୍ୟତଃ କାହାର ବିରୋଧୀ ? ଉତ୍ତର: ଫାସୀବାଦୀ ଦଳର କଳା ପୋଷାକ ପରିଧାନ କରୁଥିବା ତାଲିମପ୍ରାପ୍ତ ସ୍ୱେଚ୍ଛାସେବକମାନଙ୍କ ସଶସ୍ତ୍ର ବାହିନୀକୁ 'କଳାକୁର୍ତ୍ତା ବାହିନୀ' କୁହାଯାଉଥିଲା। ସେମାନେ ମୁଖ୍ୟତଃ ସମାଜବାଦୀ ଓ ସାମ୍ୟବାଦୀମାନଙ୍କର ବିରୋଧୀ ଥିଲେ।

(ଚ) ଫାସୀବାଦୀମାନେ ଇଟାଲୀରେ ଏକଛତ୍ର ଶାସନ ପ୍ରତିଷ୍ଠା ନିମନ୍ତେ କି କି ପଦକ୍ଷେପ ନେଇଥିଲେ ? ଉତ୍ତର: ବିରୋଧୀମାନଙ୍କୁ ହତ୍ୟା ବା ବନ୍ଦୀ କରିବା, ସଂସଦୀୟ ବ୍ୟବସ୍ଥା ଅକାମୀ କରିବା, ସମ୍ବାଦପତ୍ରର ସ୍ୱାଧୀନତା ଛଡ଼ାଇନେବା ଓ ଅନ୍ୟ ସମସ୍ତ ରାଜନୈତିକ ଦଳକୁ ବେଆଇନ ଘୋଷଣା କରିବା ଭଳି ପଦକ୍ଷେପ ନେଇଥିଲେ।

(ଛ) କେଉଁ କାରଣ ଯୋଗୁଁ ପ୍ରଥମ ବିଶ୍ୱଯୁଦ୍ଧପରେ ଜର୍ମାନୀ ଦେଶରେ ନାଜି ବିପ୍ଳବର ଆରମ୍ଭ ହୋଇଥିଲା ? ଉତ୍ତର: ପ୍ରଥମ ବିଶ୍ଵଯୁଦ୍ଧରେ ଜର୍ମାନୀର ପରାଜୟ, ଭର୍ସାଇ ସନ୍ଧିର ଅପମାନଜନକ ସର୍ତ୍ତ, ଆର୍ଥନୀତିକ ଅବସ୍ଥାରେ ଅବନତି ଏବଂ ବେକାରି ଓ ରାଜନୈତିକ ଅସ୍ଥିରତା ଯୋଗୁଁ ନାଜି ବିପ୍ଳବ ଆରମ୍ଭ ହୋଇଥିଲା।

(ଜ) ହିଟ୍‌ଲର୍ କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ? ତାଙ୍କ ନେତୃତ୍ୱରେ କେବେ ନାଜି ଦଳ ଗଠିତ ହୋଇଥିଲା ? ଉତ୍ତର: ହିଟ୍‌ଲର୍ ୧୮୮୯ ମସିହା ଏପ୍ରିଲ୍ ମାସ ୨୦ ତାରିଖରେ ଅଷ୍ଟ୍ରିଆ ଦେଶରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ ୧୯୨୧ ମସିହାରେ ନାଜି ଦଳ ଗଠିତ ହୋଇଥିଲା।

(ଝ) ‘ମେଁ କାମ୍ଫ’ ପୁସ୍ତକ କିଏ ରଚନା କରିଥିଲେ ? ଏହି ପୁସ୍ତକରେ କେଉଁ ବିଷୟରେ ଉଲ୍ଲେଖ ଅଛି ? ଉତ୍ତର: 'ମେଁ କାମ୍ଫ' ପୁସ୍ତକଟିକୁ ଆଡଲ୍‌ଫ୍ ହିଟ୍‌ଲର୍ ରଚନା କରିଥିଲେ। ଏହି ପୁସ୍ତକରେ ନାଜି ଦଳର ଆଦର୍ଶ, ଚିନ୍ତାଧାରା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ ଅଛି।

(ଞ) ହିଟ୍‌ଲର୍ ଜର୍ମାନୀକୁ ଆଉ ଗୋଟିଏ ବିଶ୍ଵଯୁଦ୍ଧ ପାଇଁ କିପରି ପ୍ରସ୍ତୁତ କରିଥିଲେ ? ଉତ୍ତର: ସେ ଭର୍ସାଇ ସନ୍ଧିର ସର୍ତ୍ତ ଉଲ୍ଲଂଘନ କରି ଜର୍ମାନୀର ସାମରିକ ଶକ୍ତି ବୃଦ୍ଧି କଲେ, ଅତ୍ୟାଧୁନିକ ଆକାଶ ଓ ନୌବାହିନୀ ଗଠନ କଲେ ଏବଂ ରାଇନ୍ ଉପତ୍ୟକାରେ ସୈନ୍ୟ ମୁତୟନ କଲେ।

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ପ୍ରଥମ ବିଶ୍ଵଯୁଦ୍ଧ ପରେ ବିଭିନ୍ନ ଦେଶରେ ଦେଖାଦେଇଥିବା ଶ୍ରମିକ ଆନ୍ଦୋଳନର ନେତୃତ୍ୱ କେଉଁମାନେ ନେଇଥିଲେ ? ଉତ୍ତର: ପ୍ରଥମ ବିଶ୍ଵଯୁଦ୍ଧ ପରେ ବିଭିନ୍ନ ଦେଶରେ ଥିବା ସମାଜବାଦୀ ଓ ସାମ୍ୟବାଦୀ ଦଳଗୁଡ଼ିକ ଶ୍ରମିକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ।

(ଖ) ପ୍ରଥମ ବିଶ୍ଵଯୁଦ୍ଧ ପରବର୍ତ୍ତୀ ଶ୍ରମିକ ଆନ୍ଦୋଳନର ଲକ୍ଷ୍ୟ କ’ଣ ଥିଲା ? ଉତ୍ତର: ଏହି ଆନ୍ଦୋଳନର ଲକ୍ଷ୍ୟ ଥିଲା ବିପ୍ଳବ ଦ୍ୱାରା ରାଜତନ୍ତ୍ର ଲୋପ କରି ପ୍ରଜାତନ୍ତ୍ର ପ୍ରତିଷ୍ଠା କରିବା।

(ଗ) କେଉଁମାନେ ଶ୍ରମିକ ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରିଥିଲେ । ଉତ୍ତର: ଜମିଦାର, ପୁଞ୍ଜିପତି ଓ ଶିଳ୍ପପତିମାନେ ଶ୍ରମିକ ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା କରିଥିଲେ।

(ଘ) ଶ୍ରମିକ ଆନ୍ଦୋଳନର ଦମନ ପାଇଁ କାହାର ସାହାଯ୍ୟ ନିଆଯାଇଥୁଲା ? ଉତ୍ତର: ଶ୍ରମିକ ଆନ୍ଦୋଳନର ଦମନ ପାଇଁ ସ୍ୱେଚ୍ଛାଚାରୀ ତଥା ଉଗ୍ରବାଦୀ ବା ଫାସୀବାଦୀ ଶକ୍ତିମାନଙ୍କର ସାହାଯ୍ୟ ନିଆଯାଇଥିଲା।

(ଙ) ଫାସିସ୍ ଶବ୍ଦର ଅର୍ଥ କ’ଣ ? ଉତ୍ତର: ଲାଟିନ୍ ଶବ୍ଦ ଫାସିସ୍‌ର ଅର୍ଥ ହେଉଛି କୁରାଢ଼ି ସହିତ ବିଡ଼ାଏ କାଠି।

(ଚ) ପ୍ରଥମେ କେଉଁ ଦୁଇଟି ଦେଶରେ ଫସୀବାଦୀ ଆନ୍ଦୋଳନର ସୂତ୍ରପାତ ହୋଇଥିଲା ? ଉତ୍ତର: ପ୍ରଥମେ ଇଟାଲୀ ଓ ଜର୍ମାନୀ ଦେଶରେ ଫାସୀବାଦୀ ଆନ୍ଦୋଳନର ସୂତ୍ରପାତ ହୋଇଥିଲା।

(ଛ) ମୁସୋଲିନୀ କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ? ଉତ୍ତର: ମୁସୋଲିନୀ ୧୮୮୩ ମସିହାରେ ରୋମାନାଠାରେ ଜନ୍ମଗ୍ରହଣ କରିଥିଲେ।

(ଜ) ପ୍ରଥମ ବିଶ୍ଵଯୁଦ୍ଧ ବେଳେ ମୁସୋଲିନୀ କି କାର୍ଯ୍ୟ କରିଥିଲେ ? ଉତ୍ତର: ପ୍ରଥମ ବିଶ୍ଵଯୁଦ୍ଧ ବେଳେ ମୁସୋଲିନୀ ଜଣେ ସୈନିକ ଭାବରେ କାର୍ଯ୍ୟ କରିଥିଲେ।

(ଝ) କେଉଁମାନଙ୍କୁ ନେଇ ମୁସୋଲିନୀ ଏକ ଦଳ ଗଢ଼ିଥିଲେ ? ଉତ୍ତର: ମୁସୋଲିନୀ ଯୁଦ୍ଧଫେରନ୍ତା ବେକାର ସୈନିକ, ଦେଶଭକ୍ତ ନାଗରିକ ଓ ରାଜତନ୍ତ୍ର ବିରୋଧୀ କେତେକ ଲୋକଙ୍କୁ ନେଇ ଏକ ଦଳ ଗଢ଼ିଥିଲେ।

(ଞ) ପ୍ରଥମ ବିଶ୍ଵଯୁଦ୍ଧ ପରେ ଜର୍ମାନୀରେ ପ୍ରତିଷ୍ଠିତ ସାଧାରଣତନ୍ତ୍ରକୁ କ’ଣ କୁହାଯାଏ ? ଉତ୍ତର: ପ୍ରଥମ ବିଶ୍ଵଯୁଦ୍ଧ ପରେ ଜର୍ମାନୀରେ ପ୍ରତିଷ୍ଠିତ ସାଧାରଣତନ୍ତ୍ରକୁ ‘ୱେମର୍’ ସାଧାରଣତନ୍ତ୍ର କୁହାଯାଏ।

୪ . ନିମ୍ନରେ ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥୁବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ସହିତ ବାଛି ଲେଖ ।

(କ) କେଉଁ ଭାଷାରୁ ଫାସିସ୍ ଶବ୍ଦଟି ଆସିଛି ? ଉତ୍ତର: (ii) ଲାଟିନ୍

(ଖ) କେଉଁ ଦେଶ ପ୍ୟାରିସ୍ ଶାନ୍ତ ସମ୍ମିଳନୀରୁ ନିରାଶ ହୋଇ ଫେରିଥିଲା ? ଉତ୍ତର: (i) ଇଟାଲୀ

(ଗ) ହିଟ୍‌ଲର୍ କେଉଁ ଦେଶରେ ଜନ୍ମ ଗ୍ରହଣ କରିଥିଲେ ? ଉତ୍ତର: (iv) ଅଷ୍ଟ୍ରିଆ

(ଘ) କେଉଁ ମସିହାରେ ହିଟ୍‌ଲର୍ ବଳପୂର୍ବକ ଜର୍ମାନୀର ଶାସନ କ୍ଷମତା ଗ୍ରହଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ? ଉତ୍ତର: (iii) ୧୯୨୩

(ଙ) ହିଟଲର୍ ତାଙ୍କର କେଉଁ ନୀତି ଯୋଗୁଁ ପୁଞ୍ଜିପତି ଓ ଗଣତନ୍ତ୍ର ବିରୋଧୀ ଶକ୍ତିମାନଙ୍କର ସମର୍ଥନ ଲାଭ କରିଥିଲେ ? ଉତ୍ତର: (iv) ଉଗ୍ରଜାତୀୟତାବାଦୀ