୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ:

(କ) ରୁଷ୍ ବିପ୍ଳବ ପୂର୍ବରୁ ରୁଷିଆର ଜାର୍‌ମାନଙ୍କ ସ୍ୱେଚ୍ଛାୟରୀ ଶାସନର ଏକ ବିବରଣୀ ଦିଅ ।

ଉତ୍ତର: ରୁଷିଆରେ ଶାସନର ସମସ୍ତ କ୍ଷମତା ଜାର୍ (ସମ୍ରାଟ)ଙ୍କ ହାତରେ କେନ୍ଦ୍ରୀଭୂତ ହୋଇଥିଲା ଏବଂ ସେ ସ୍ବେଚ୍ଛାଚାରୀ ଶାସନ କରୁଥିଲେ । ଜାର୍ ନିଜେ ସମସ୍ତ ନିଯୁକ୍ତି କରୁଥିଲେ, ସେନାର ମୁଖ୍ୟ ସେନାପତି ଥିଲେ ଏବଂ ଚର୍ଚ୍ଚର ମଧ୍ୟ ମୁଖ୍ୟ ଥିଲେ । ସେ ବିନା ବିଚାରରେ ଯେ କୌଣସି ବ୍ୟକ୍ତିକୁ ମୃତ୍ୟୁଦଣ୍ଡ ଦେଇପାରୁଥିଲେ ବା ସାଇବେରିଆକୁ ନିର୍ବାସନ କରିପାରୁଥିଲେ । ରୁଷ୍ ବିପ୍ଳବ ପୂର୍ବରୁ ପ୍ରାୟ ଶହେ ବର୍ଷରୁ ଊର୍ଦ୍ଧ୍ବ ସମୟ ରୋମାନୋଭ ବଂଶର ଜାର୍‌ମାନେ ଦମନମୂଳକ ଓ ଏକଛତ୍ରବାଦୀ ଶାସନକୁ ଚରମ ସୀମାରେ ପହଞ୍ଚାଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିଥିଲେ ।

(ଖ) ରୁଷ୍ ବିପ୍ଳବର ଅବ୍ୟବହିତ ପୂର୍ବରୁ ରୁଷିଆର ସାମାଜିକ ଅବସ୍ଥା କିପରି ଥିଲା ?

ଉତ୍ତର: ରୁଷିଆର ସମାଜ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ ହୋଇଥିଲା: “ଥିଲାବାଲା” (ଧନୀକ ଓ ସଂଭ୍ରାନ୍ତ) ଏବଂ “ନ ଥିଲାବାଲା” (କୃଷକ ଓ ଶ୍ରମିକ) । ଧନୀକ ଶ୍ରେଣୀ ସମସ୍ତ ସୁବିଧା ଓ କ୍ଷମତା ଉପଭୋଗ କରୁଥିବା ବେଳେ ଶ୍ରମିକମାନେ ଅତି ଅସ୍ୱାସ୍ଥ୍ୟକର ପରିବେଶରେ ରହୁଥିଲେ । ଦାରିଦ୍ର୍ୟ, କ୍ଷୁଧା ଓ ‘ଭୋଦ୍‌କା’ ନିଶାଦ୍ରବ୍ୟ ସେବନ ଫଳରେ ଅନେକ ରୋଗାକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଥିଲେ । ଏହି ସାମାଜିକ ବୈଷମ୍ୟ ସମାଜରେ ଘୋର ଶ୍ରେଣୀ ସଂଘର୍ଷ ସୃଷ୍ଟି କରିଥିଲା ।

(ଗ) ରୁଷ୍ ବିପ୍ଳବ ପାଇଁ ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ରଚନା କିପରି ଇନ୍ଧନ ଯୋଗାଇଥିଲା ?

ଉତ୍ତର: ପାଶ୍ଚାତ୍ୟର ଉଦାର ଚିନ୍ତାଧାରା ଓ ସାହିତ୍ୟ ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀକୁ ଗଭୀରଭାବେ ପ୍ରଭାବିତ କରିଥିଲା । ଲିଓ ଟଲଷ୍ଟୟ, ଦସ୍ତୋଭେସ୍କି, ଏବଂ ମାକ୍ସିମ୍ ଗୋର୍କୀଙ୍କ ରଚନା ରୁଷ୍‌ବାସୀଙ୍କୁ ଜାଗ୍ରତ କରିଥିଲା । ସବୁଠାରୁ ବେଶୀ ପ୍ରଭାବ କାର୍ଲ ମାର୍ଚ୍ଚ ଏବଂ ଫ୍ରେଡ଼େରିକ୍ ଏଞ୍ଜେଲ୍ସଙ୍କ ଦ୍ବାରା ରଚିତ “କମ୍ୟୁନିଷ୍ଟ ମାନିଫେଷ୍ଟୋ” ଏବଂ ମାର୍ଚ୍ଚଙ୍କ “ଦାସ୍ କ୍ୟାପିଟାଲ୍” ପକାଇଥିଲା । ଏହା ସର୍ବହରା ଓ ଶ୍ରମିକମାନଙ୍କୁ ପୁଞ୍ଜିପତି ଓ ସଂଭ୍ରାନ୍ତମାନଙ୍କ ଶୋଷଣ ବିରୋଧରେ ବିପ୍ଳବ କରିବାକୁ ପ୍ରେରଣା ଯୋଗାଇଥିଲା ।

(ଘ) ଫେବ୍ରୁଆରୀ ବିପ୍ଳବ ପରବର୍ତ୍ତୀ କାମଚଳା ସରକାର ତାଙ୍କ ଉଦାରନୀତି ସତ୍ତ୍ବେ କାହିଁକି ବେଶିଦିନ ତିଷ୍ଠି ପାରିଲା ନାହିଁ ?

 ଉତ୍ତର: କାମଚଳା ସରକାର ଦେଶବାସୀଙ୍କ ପ୍ରବଳ ବିରୋଧ ଓ ଆର୍ଥିକ ଦୁରବସ୍ଥା ସତ୍ତ୍ବେ ପ୍ରଥମ ବିଶ୍ୱଯୁଦ୍ଧ ଚାଲୁ ରଖିବାକୁ ଚାହିଁଥିଲେ, ଯାହା ଅସନ୍ତୋଷ ସୃଷ୍ଟି କରିଥିଲା । ଶ୍ରମିକ ଓ ସୈନ୍ୟମାନଙ୍କ ସଂଗଠନ “ସୋଭିଏତ୍” ସହିତ ସରକାରଙ୍କର ଆଦର୍ଶଗତ ବିବାଦ ଏବଂ ଅନୁପଯୁକ୍ତ କାର୍ଯ୍ୟଶୈଳୀ ହେତୁ ସର୍ବଦା ବିବାଦ ଦେଖାଦେଲା । ଏହାଛଡ଼ା, ଜମିକୁ କୃଷକମାନଙ୍କ ମଧ୍ୟରେ ବାଣ୍ଟିବା ଓ ଶିଳ୍ପଗୁଡ଼ିକର ଜାତୀୟକରଣ କରିବା ପାଇଁ ସରକାର କୌଣସି ପଦକ୍ଷେପ ନ ନେବାରୁ କୃଷକ ଓ ଶ୍ରମିକମାନେ ସରକାରଙ୍କ ବିରୋଧୀ ହୋଇଥିଲେ ।


୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ଗୋଟି ଶବ୍ଦ ମଧ୍ଯରେ ଲେଖ:

(କ) କାର୍ଲମାର୍ଚ୍ଚଙ୍କ ଦ୍ବାରା ରଚିତ ଦୁଇଟି ସୁପ୍ରସିଦ୍ଧ ପୁସ୍ତକ କ’ଣ ଥିଲା ? ଉତ୍ତର: କାର୍ଲ ମାର୍ଚ୍ଚଙ୍କ ଦ୍ବାରା ରଚିତ ଦୁଇଟି ସୁପ୍ରସିଦ୍ଧ ପୁସ୍ତକ ଥିଲା “କମ୍ୟୁନିଷ୍ଟ ମାନିଫେଷ୍ଟୋ” ଏବଂ “ଦାସ୍ କ୍ୟାପିଟାଲ୍” ।

(ଖ) ରୁଷ୍ ବିପ୍ଳବ ପୂର୍ବରୁ ଅସନ୍ତୁଷ୍ଟ ଶ୍ରମିକମାନଙ୍କ ଦ୍ବାରା ଓ ଭୂମିହୀନ କୃଷକମାନଙ୍କ ଦ୍ୱାରା ଯଥାକ୍ରମେ କେଉଁ ଦୁଇଟି ଦଳ ଗଠନ କରାଯାଇଥିଲା ? ଉତ୍ତର: ଅସନ୍ତୁଷ୍ଟ ଶ୍ରମିକମାନଙ୍କ ଦ୍ବାରା ୧୮୯୫ ମସିହାରେ “ସାମାଜିକ ଗଣତାନ୍ତ୍ରିକ ଦଳ” ଓ ଭୂମିହୀନ କୃଷକମାନଙ୍କ ଦ୍ୱାରା ୧୯୦୧ ମସିହାରେ “ସାମାଜିକ ବିପ୍ଳବୀ ଦଳ” ଗଠନ କରାଯାଇଥିଲା ।

(ଗ) ୧୯୦୩ ମସିହାରେ ରୁଷିଆରେ କେଉଁ ଦୁଇଟି ଦଳ ସୃଷ୍ଟି ହୋଇଥିଲା ? ଉତ୍ତର: ୧୯୦୩ ମସିହାରେ ସାମାଜିକ ଗଣତାନ୍ତ୍ରିକ ଦଳ ଦୁଇଭାଗ ହୋଇ ‘ମେନ୍‌ସେଭିକ୍ ଦଳ’ ଓ ‘ବୋଲ୍‌ସେଭିକ୍ ଦଳ’ ନାମରେ ଦୁଇଟି ଦଳ ସୃଷ୍ଟି ହୋଇଥିଲା ।

(ଘ) ପ୍ରଥମ ବିଶ୍ଵଯୁଦ୍ଧ ଆରମ୍ଭ ହେବା ପୂର୍ବରୁ କେଉଁ ଦୁଇଟି ଯୁଦ୍ଧରେ ରୁଷିଆର ପରାଜୟ ଦେଶର ସମ୍ମାନକୁ କ୍ଷୁଣ୍ଣ କରି ଜାର୍ ଶାସନର ଦୁର୍ବଳତା ପ୍ରମାଣ କରିଥିଲା ? ଉତ୍ତର: ୧୮୫୪ ମସିହାର କ୍ରିମିଆ ଯୁଦ୍ଧ ଏବଂ ୧୯୦୪ ମସିହାର ରୁଷ୍-ଜାପାନ୍ ଯୁଦ୍ଧରେ ପରାଜୟ ଦେଶର ସମ୍ମାନକୁ କ୍ଷୁଣ୍ଣ କରିଥିଲା ।

(ଙ) ୧୯୦୫ ମସିହା ଜାନୁଆରୀ ୨୨ ତାରିଖରେ ବିକ୍ଷୋଭକାରୀମାନେ କାହା ନେତୃତ୍ୱରେ ଏବଂ କେଉଁ ସ୍ଥାନରେ ଜାର୍‌ଙ୍କୁ ଏକ ଦାବିପତ୍ର ଦେବା ପାଇଁ ଶୋଭାଯାତ୍ରାରେ ଯାଉଥିଲେ ? ଉତ୍ତର: ଧର୍ମଯାଜକ ଫାଦର ଗ୍ୟାପନ୍‌ଙ୍କ ନେତୃତ୍ୱରେ ବିକ୍ଷୋଭକାରୀମାନେ ସେଣ୍ଟ ପିଟରସ୍‌ବର୍ଗସ୍ଥିତ ଜାର୍‌ଙ୍କ ଶୀତକାଳୀନ ପ୍ରାସାଦ ଅଭିମୁଖେ ଶୋଭାଯାତ୍ରାରେ ଯାଉଥିଲେ ।

(ଚ୍) ୧୯୧୭ ବିପ୍ଳବ ସମୟରେ ରୁଷିଆରେ ଜାର୍ କିଏ ଥିଲେ ଏବଂ ତାଙ୍କ ରାଜବଂଶର ନାମ କ’ଣ ଥିଲା ? ଉତ୍ତର: ୧୯୧୭ ବିପ୍ଳବ ସମୟରେ ରୁଷିଆର ଜାର୍ ଦ୍ବିତୀୟ ନିକୋଲାସ୍ ଥିଲେ ଏବଂ ତାଙ୍କ ରାଜବଂଶର ନାମ ଥିଲା ରୋମାନୋଭ ରାଜବଂଶ ।

(ଛ) ୧୯୧୭ ନଭେମ୍ବର ୭ ତାରିଖ ସଂଧ୍ୟାରେ ଲେନିନ୍ କ’ଣ ଘୋଷଣା କରିଥିଲେ ? ଉତ୍ତର: ୧୯୧୭ ନଭେମ୍ବର ୭ ତାରିଖ ସଂଧ୍ୟାରେ ଲେନିନ୍ ଘୋଷଣା କରିଥିଲେ ଯେ ରୁଷିଆରେ ସୋଭିଏତ୍ ସାଧାରଣତନ୍ତ୍ର ସ୍ଥାପିତ ହେଲା ଓ ସାମ୍ୟବାଦ ପ୍ରତିଷ୍ଠା ହେବ ।

(ଜ) ୧୯୧୭ ନଭେମ୍ବର ୭ ତାରିଖରେ କେଉଁ ଠାରେ ଏବଂ କାହାଦ୍ଵାରା ଲେନିନ୍ ତାଙ୍କର ତିନିଗୋଟି ଆଦେଶନାମା ଅନୁମୋଦିତ କରାଇନେଇଥିଲେ ? ଉତ୍ତର: ପେଟ୍ରୋଗ୍ରାଡ଼ଠାରେ ନିଖିଳ ରୁଷିଆ ସୋଭିଏତ୍ କଂଗ୍ରେସ୍‌ର ସଦସ୍ୟମାନଙ୍କ ଦ୍ଵାରା ଲେନିନ୍ ତାଙ୍କର ତିନିଗୋଟି ଆଦେଶନାମା ଅନୁମୋଦିତ କରାଇଥିଲେ ।

(ଝ) ୧୯୧୭ ଅକ୍ଟୋବର ବିପ୍ଳବ ପରେ ରୁଷିଆର ନୂତନ ସରକାରରେ କିଏ ପ୍ରଧାନମନ୍ତ୍ରୀ ଓ କିଏ ବୈଦେଶିକ ମନ୍ତ୍ରୀ ହୋଇଥିଲେ ? ଉତ୍ତର: ରୁଷିଆର ନୂତନ ସରକାରରେ ଲେନିନ୍ ପ୍ରଧାନମନ୍ତ୍ରୀ ଏବଂ ଟ୍ରଟ୍‌ସ୍କି ବୈଦେଶିକ ବ୍ୟାପାର ମନ୍ତ୍ରୀ ହୋଇଥିଲେ ।

(ଞ) ୧୯୧୮ ମସିହା ସମ୍ବିଧାନରେ ଏବଂ ୧୯୨୪ ମସିହା ସମ୍ବିଧାନରେ ଯଥାକ୍ରମେ ରୁଷିଆକୁ କେଉଁ କେଉଁ ନାମରେ ନାମିତ କରାଯାଇଥିଲା ? ଉତ୍ତର: ୧୯୧୮ ରେ “ରୁଷୀୟ ସୋସିଆଲିଷ୍ଟ ଫେଡ଼େରେଟିଭ ସୋଭିଏତ୍ ରିପବ୍ଲିକ୍” ଏବଂ ୧୯୨୪ ରେ “ୟୁନିଅନ୍ ଅଫ୍ ସୋଭିଏତ୍ ସୋସିଆଲିଷ୍ଟ ରିପବ୍ଲିକ୍‌ସ୍” ନାମରେ ନାମିତ କରାଯାଇଥିଲା ।


୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ:

(କ) କେଉଁ ମସିହାରେ ଦ୍ଵିତୀୟ ନିକୋଲାସ ରୁଷିଆର ଜାର୍ ହେଲେ ? ଉତ୍ତର: ୧୮୯୪ ମସିହାରେ ଦ୍ବିତୀୟ ନିକୋଲାସ ରୁଷିଆର ଜାର୍ ହେଲେ ।

(ଖ) ରୁଷ୍ ବିପ୍ଳବ ପୂର୍ବରୁ ଦରିଦ୍ର କୃଷକ ଓ ଶ୍ରମିକମାନେ କେଉଁ ନିଶାକାରୀ ଦ୍ରବ୍ୟ ପ୍ରତି ଆସକ୍ତ ଥିଲେ ? ଉତ୍ତର: ରୁଷ୍ ବିପ୍ଳବ ପୂର୍ବରୁ ଦରିଦ୍ର କୃଷକ ଓ ଶ୍ରମିକମାନେ ‘ଭୋଦ୍‌କା’ ନାମକ ଏକ ଦେଶୀୟ ନିଶାକାରୀ ପାନୀୟ ପ୍ରତି ଆସକ୍ତ ଥିଲେ ।

(ଗ) କାର୍ଲମାର୍ଚ୍ଚଙ୍କ “ କମ୍ୟୁନିଷ୍ଟ ମାନିଫେଷ୍ଟୋ” କେବେ ପ୍ରକାଶିତ ହୋଇଥିଲା ? ଉତ୍ତର: କାର୍ଲମାର୍ଚ୍ଚ ଓ ଏଞ୍ଜେଲ୍ସଙ୍କ ଦ୍ବାରା “କମ୍ୟୁନିଷ୍ଟ ମାନିଫେଷ୍ଟୋ” ୧୮୪୮ ମସିହାରେ ପ୍ରକାଶିତ ହୋଇଥିଲା ।

(ଘ) ରୁଷିଆରେ ‘ ଅକ୍ଟୋବର ଇସ୍ତାହାର’ କେବେ ଘୋଷଣା କରାଯାଇଥିଲା ? ଉତ୍ତର: ରୁଷିଆରେ ‘ଅକ୍ଟୋବର ଇସ୍ତାହାର’ ୧୯୦୫ ମସିହା ଅକ୍ଟୋବର ୩୦ ତାରିଖରେ ଘୋଷଣା କରାଯାଇଥିଲା ।

(ଙ) ରୁଷ୍ ବିପ୍ଳବ ସମୟରେ ରୁଷିଆର ଜାରିନା କିଏ ଥିଲେ ? ଉତ୍ତର: ରୁଷ୍ ବିପ୍ଳବ ସମୟରେ ରୁଷିଆର ଜାରିନା ଦ୍ଵିତୀୟ ନିକୋଲାସ୍‌ଙ୍କ ପତ୍ନୀ ଆଲେକ୍‌ଜାଣ୍ଡ୍ରା ଥିଲେ ।

(ଚ) ରାସ୍‌ପୁଟିନ୍‌ଙ୍କ ପ୍ରକୃତ ନାମ କ’ଣ ଥିଲା ? ଉତ୍ତର: ରାସ୍‌ପୁଟିନ୍‌ଙ୍କ ପ୍ରକୃତ ନାମ ଗ୍ରୀଗୋର ଏଫିମୋଭିଚ ଥିଲା ।

(ଛ) ରୁଷିଆର କେଉଁ ବିପ୍ଳବକୁ “ ବୋଲ୍‌ସେଭିକ୍ ବିପ୍ଳବ” କୁହାଯାଏ ? ଉତ୍ତର: ରୁଷିଆର ଅକ୍ଟୋବର ବିପ୍ଳବକୁ ବା ନଭେମ୍ବର ବିପ୍ଳବକୁ “ବୋଲ୍‌ସେଭିକ୍ ବିପ୍ଳବ” କୁହାଯାଏ ।

(ଜ) ରୁଷିଆରେ କାମଚଳା ସରକାରଙ୍କ ବିଫଳତା ପରେ କିଏ ପ୍ରଧାନମନ୍ତ୍ରୀ ହୋଇଥିଲେ ? ଉତ୍ତର: ରୁଷିଆରେ କାମଚଳା ସରକାରଙ୍କ ବିଫଳତା ପରେ କେରେନ୍‌ସ୍କି ପ୍ରଧାନମନ୍ତ୍ରୀ ହୋଇଥିଲେ ।

(ଝ) ରୁଷିଆରେ ଜାର୍‌ଙ୍କ ଶୀତକାଳୀନ ପ୍ରାସାଦ କେଉଁଠାରେ ଅବସ୍ଥିତ ଥିଲା ? ଉତ୍ତର: ରୁଷିଆରେ ଜାର୍‌ଙ୍କ ଶୀତକାଳୀନ ପ୍ରାସାଦ ସେଣ୍ଟ ପିଟରସ୍‌ବର୍ଗଠାରେ ଅବସ୍ଥିତ ଥିଲା ।

(ଞ) ରୁଷ୍ ବିପ୍ଳବ ପରେ କାହାକୁ “ରୁଷୀୟ କମ୍ୟୁନିଷ୍ଟ ଦଳ” ଭାବେ ନାମିତ କରାଗଲା ? ଉତ୍ତର: ରୁଷ୍ ବିପ୍ଳବ ପରେ ‘ବୋଲ୍‌ସେଭିକ୍’ ଦଳକୁ “ରୁଷୀୟ କମ୍ୟୁନିଷ୍ଟ ଦଳ (ବୋଲ୍‌ସେଭିକ୍)” ଭାବେ ନାମିତ କରାଗଲା ।


୪ . ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥୁବା ଋରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ସଙ୍ଗେ ତା’ର କ୍ରମିକ ନମ୍ବର ବାଛି ଲେଖ ।

(କ) କିଏ ରୁଷିଆରେ କୃଷିଭୃତ୍ୟ ପ୍ରଥା ଉଚ୍ଛେଦ କରିଥିଲେ ? ଉତ୍ତର: (ii) ଦ୍ଵିତୀୟ ଆଲେକ୍‌ଜାଣ୍ଡାର

(ଖ) ରୁଷିଆର ସର୍ବହରାମାନଙ୍କୁ କ’ଣ କୁହାଯାଉଥିଲା ? ଉତ୍ତର: (iv) ପ୍ରୋଲେତାରିଏତ୍

(ଗ) ରୁଷ୍ବିପ୍ଳବ ସମୟରେ ଲେନିନ୍ କେଉଁ ଦଳର ନେତୃତ୍ୱ ନେଇଥିଲେ ? ଉତ୍ତର: (iv) ବୋଲ୍‌ସେଭିକ୍‌ସ୍‌

(ଘ) କେଉଁ ଦିବସଟି ରୁଷ ଇତିହାସରେ “ରକ୍ତାକ୍ତ ରବିବାର” ଭାବେ ନାମିତ ? ଉତ୍ତର: (i) ୧୯୦୫ ଜାନୁଆରୀ ୨୨

(ଙ) ଦ୍ଵିତୀୟ ନିକୋଲାସ୍‌ଙ୍କ ପ୍ରଥମ ଡୁମା କେବେ ଉଦ୍‌ଘାଟିତ ହୋଇଥିଲା ? ଉତ୍ତର: (iii) ୧୯୦୬ ମେ

(ଚ) ଜାର୍ ଦ୍ଵିତୀୟ ନିକୋଲାସ୍ କେଉଁ ଦିନ ରାଜଗାଦି ତ୍ୟାଗ କଲେ ? ଉତ୍ତର: (iv) ୧୯୧୭ ମାର୍ଚ୍ଚ ୧୫

(ଛ) ୧୯୧୭ ଫେବ୍ରୁଆରୀ ବିପ୍ଳବ ପରେ ପ୍ରତିଷ୍ଠିତ କାମଚଳା ସରକାରର ମୁଖ୍ୟ କିଏ ଥିଲେ ? ଉତ୍ତର: (iii) ଲୋଭୋଭ୍

(ଜ) ରୁଷ୍ ବିପ୍ଳବପରେ କେଉଁ ଅନୁଷ୍ଠାନ ରୁଷ୍ ଦେଶର ସଂସଦ ଭାବେ କାର୍ଯ୍ୟ କଲା ? ଉତ୍ତର: (iii) ସର୍ବ–ରୁଷୀୟ ସୋଭିଏତ୍ କଂଗ୍ରେସ

(ଝ) କେବେଠାରୁ ରୁଷିଆକୁ “ୟୁନିୟନ୍ ଅଫ୍ ସୋଭିଏଟ୍ ସୋସିଆଲିଷ୍ଟ ରିପବ୍ଲିକ୍‌ସ୍” କୁହାଗଲା ? ଉତ୍ତର: (iii) ୧୯୨୪

(ଞ) ପ୍ରଥମ ବିଶ୍ୱଯୁଦ୍ଧରୁ ଓହରିବା ପରେ ଜର୍ମାନୀ ସହିତ ରୁଷିଆ କେବେ ବ୍ରେଷ୍ଟ–ଲିତୋଭ୍ୟସ୍କ ସନ୍ଧି ସ୍ୱାକ୍ଷର କରିଥିଲା ? ଉତ୍ତର: (iv) ୧୯୧୮ ମାର୍ଚ୍ଚ ୩