୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦରେ ଲେଖ ।

(କ) ଭାରତର ସମ୍ବିଧାନରେ ପ୍ରଦତ୍ତ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ବୈଶିଷ୍ଟ୍ୟ ଆଲୋଚନା କର । ଉତ୍ତର: ଭାରତର ସମ୍ବିଧାନର ଚତୁର୍ଥ ଭାଗରେ ଧାରା ୩୬ରୁ ୫୧ ମଧ୍ୟରେ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଉଲ୍ଲେଖ କରାଯାଇଛି। ଏହାର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଲା: ଏହା ସମ୍ବିଧାନର ‘ମୁଖବନ୍ଧ’ରେ ରହିଥ‌ିବା ଲକ୍ଷ୍ୟ ପୂରଣର ଏକ ଉତ୍ତମ ମାଧ୍ଯମ ଏବଂ ସାମାଜିକ ଓ ଅର୍ଥନୈତିକ ଗଣତନ୍ତ୍ରର ମୂଳଦୁଆ ପକାଇଥାଏ। ଭାରତକୁ ଏକ ସମାଜବାଦୀ ଜନମଙ୍ଗଳକାରୀ ରାଷ୍ଟ୍ର ରୂପେ ଗଠନ କରିବା ଏହାର ଲକ୍ଷ୍ୟ। ଏହାକୁ ପାଳନ କରିବା ପାଇଁ ରାଷ୍ଟ୍ର ବାଧ୍ଯ ନୁହେଁ କିମ୍ବା ନ୍ୟାୟାଳୟର ସାହାଯ୍ୟ ନିଆଯାଇ ପାରେନାହିଁ। ତଥାପି, ଜନମତକୁ ସମ୍ମାନ ପ୍ରଦର୍ଶନ କରି ପ୍ରତ୍ୟେକ ସରକାର ଏହି ନିର୍ଦ୍ଦେଶାବଳୀ ପାଳନ କରିବାକୁ ଉଦ୍ୟମ କରନ୍ତି।

(ଖ) ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଓ ମୌଳିକ ଅଧୂକାର ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଅ । ଉତ୍ତର: ଏହି ଦୁଇଟି ମଧ୍ୟରେ ମୁଖ୍ୟ ପାର୍ଥକ୍ୟଗୁଡ଼ିକ ହେଲା: ୧. ମୌଳିକ ଅଧିକାରଗୁଡ଼ିକ ନାସ୍ତିବାଚକ ଥିବାବେଳେ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଅସ୍ତିବାଚକ। ୨. ମୌଳିକ ଅଧିକାର ରାଜନୈତିକ ଭିତ୍ତିଭୂମି ସୁଦୃଢ଼ କରେ, କିନ୍ତୁ ନିର୍ଦ୍ଦେଶାବଳୀ ଅର୍ଥନୈତିକ ଓ ସାମାଜିକ ବ୍ୟବସ୍ଥାର ମୂଳଦୁଆ ମଜଭୁତ କରେ। ୩. ମୌଳିକ ଅଧିକାର ସରକାର ପାଳନ କରିବାକୁ ବାଧ୍ୟ ଏବଂ ଏହାର ସୁରକ୍ଷା ପାଇଁ ଆଇନ ଅଦାଲତର ଆଶ୍ରୟ ନେଇହେବ। ମାତ୍ର ନିର୍ଦ୍ଦେଶାବଳୀ ପାଳନ ପାଇଁ ଆଇନ ଅଦାଲତର ଆଶ୍ରୟ ନେଇହେବ ନାହିଁ ବା ସରକାର ଆଇନତଃ ବାଧ୍ୟ ନୁହନ୍ତି। ୪. ମୌଳିକ ଅଧିକାର ବ୍ୟକ୍ତି ସୀମିତ ଥିବାବେଳେ, ନିର୍ଦ୍ଦେଶାବଳୀର ସୀମା ବ୍ୟାପକ ଯାହା ଆନ୍ତର୍ଜାତିକ ଶାନ୍ତି ମଧ୍ୟ ଅନ୍ତର୍ଭୁକ୍ତ କରେ।

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦରେ ଲେଖ ।

(କ) ଆମ ସମ୍ବିଧାନର କେଉଁ ଭାଗ ଓ କେଉଁ ଧାରାଗୁଡ଼ିକରେ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ବର୍ଦ୍ଧନ କରାଯାଇଛି ? ଉତ୍ତର: ଭାରତର ସମ୍ବିଧାନର ଚତୁର୍ଥ ଭାଗରେ ଧାରା ୩୬ରୁ ଧାରା ୫୧ ମଧ୍ୟରେ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ବିଷୟରେ ବର୍ଣ୍ଣନା କରାଯାଇଛି।

(ଖ) ଗାନ୍ଧିବାଦୀ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ସଂକ୍ଷେପରେ ଆଲୋଚନା କର । ଉତ୍ତର: ଗାନ୍ଧିଜୀଙ୍କ ଆଦର୍ଶ ଧାରା ୪୦, ୪୫, ୪୬, ୪୭ ଓ ୪୮ରେ ରହିଛି। ଗ୍ରାମପଞ୍ଚାୟତ ପ୍ରତିଷ୍ଠା, କୁଟୀରଶିଳ୍ପର ପ୍ରସାର, ମାଗଣା ଶିକ୍ଷା, ନିଶା ଓ ଗୋହତ୍ୟା ନିବାରଣ ଏହାର ଅନ୍ତର୍ଭୁକ୍ତ।

(ଗ) ଉଦାହରଣ ସହିତ ଉଦାରବାଦୀ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ବର୍ଦ୍ଧନ କର । ଉତ୍ତର: ସମ୍ବିଧାନର ଧାରା ୪୪, ୪୯, ୫୦ ଓ ୫୧ରେ ଉଦାରବାଦୀ ନିର୍ଦ୍ଦେଶାବଳୀ ଅଛି। ଉଦାହରଣସ୍ୱରୂପ: ନ୍ୟାୟପାଳିକାକୁ କାର୍ଯ୍ୟପାଳିକାଠାରୁ ପୃଥକ ରଖିବା ଓ ଦେଶରେ ସମାନ ଦେୱାନୀ ଆଇନ ପ୍ରଚଳନ କରିବା।

(ଘ) ସମାଜବାଦୀ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ସଂକ୍ଷେପରେ ଲେଖ । ଉତ୍ତର: ସମ୍ବିଧାନର ଧାରା ୩୮ ରୁ ୪୩ ମଧ୍ୟରେ ଏହା ରହିଛି। ଏହା ସମାଜରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ପ୍ରତିଷ୍ଠା ଏବଂ ଶ୍ରମିକ ଓ ଦରିଦ୍ର ଶ୍ରେଣୀର ସ୍ଵାର୍ଥରକ୍ଷା ଉପରେ ଗୁରୁତ୍ଵ ଦିଏ।

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ।

(କ) ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ କେଉଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖ୍ ପ୍ରଣୟନ କରାଯାଇଅଛି ? ଉତ୍ତର: ଭାରତକୁ ଏକ ସମାଜବାଦୀ ଜନମଙ୍ଗଳକାରୀ ରାଷ୍ଟ୍ର ରୂପେ ଗଠନ କରିବାର ଲକ୍ଷ୍ୟ ରଖି ଏହି ନିର୍ଦ୍ଦେଶାବଳୀ ପ୍ରଣୟନ କରାଯାଇଛି।

(ଖ) ଯଦି ଗୋଟିଏ ସରକାର ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ପାଳନ କରିବାରେ ଆନ୍ତରିକତା ନ ଦେଖାନ୍ତି, ସେତେବେଳେ ପରିସ୍ଥିତି କ’ଣ ହୁଏ ? ଉତ୍ତର: ଯେଉଁ ସରକାର ଏହି ନିର୍ଦ୍ଦେଶାବଳୀ ପାଳନ କରିବାରେ ଆନ୍ତରିକତା ଦେଖାନ୍ତି ନାହିଁ, ସେମାନେ ନିଜର ଲୋକପ୍ରିୟତା ହରାଇ ବସନ୍ତି।

(ଗ) କେଉଁ ସମ୍ବିଧାନ ସଂଶୋଧନ ଆଇନ ବଳରେ ପଞ୍ଚାୟତମାନଙ୍କୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି ? ଉତ୍ତର: ୭୩ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ପଞ୍ଚାୟତମାନଙ୍କୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି।

(ଘ) ଆମ ସମ୍ବିଧାନରେ ପ୍ରଦତ୍ତ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ପ୍ରକାରଭେଦ ଉଲ୍ଲେଖ କର । ଉତ୍ତର: ଆମ ସମ୍ବିଧାନରେ ଥିବା ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇଛି, ଯଥା: ସମାଜବାଦୀ, ଗାନ୍ଧିବାଦୀ ଓ ଉଦାରବାଦୀ ନିର୍ଦ୍ଦେଶାବଳୀ।