୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ।

(କ) ପ୍ରତ୍ୟେକ ଭାରତୀୟର ନୈତିକ କର୍ଭବ୍ୟ ଗୁଡ଼ିକ କ’ଣ ? ଉତ୍ତର: ସନ୍ତାନର ଉପଯୁକ୍ତ ଲାଳନପାଳନ, ଶିକ୍ଷା ଓ ସଂସ୍କାର ପିତାମାତାଙ୍କର ଏକ ପ୍ରଧାନ ନୈତିକ କର୍ତ୍ତବ୍ୟ। ପରିବାରର ବୟସ୍କ ସଦସ୍ୟ ତଥା ପିତାମାତାଙ୍କ ସେବାଯତ୍ନ କରିବା ସନ୍ତାନ ସନ୍ତତିଙ୍କ ନୈତିକ କର୍ତ୍ତବ୍ୟ। ‘ଅତିଥି ଦେବୋ ଭବାଃ’ ନୀତିରେ ଅତିଥିଙ୍କ ସେବା ସତ୍କାର କରିବା, ନାରୀମାନଙ୍କୁ ସମ୍ମାନ ଓ ସୁରକ୍ଷା ଦେବା, ମୃତ ବ୍ୟକ୍ତିର ଶବର ଅନ୍ତେଷ୍ଟିକ୍ରିୟା ସମ୍ପାଦନ କରିବା ଏବଂ ବାସଗୃହ, ଶିକ୍ଷାନୁଷ୍ଠାନ ତଥା ଧର୍ମପୀଠର ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବା ପ୍ରତ୍ୟେକ ଭାରତୀୟର ପ୍ରଧାନ ନୈତିକ କର୍ତ୍ତବ୍ୟ ଅଟେ।

(ଖ) ଭାରତରେ ଧର୍ମ କ୍ଷେତ୍ରରେ ଉଦାରତା କି ଭଳି ଭାବରେ ପ୍ରତିଫଳିତ ହୋଇଛି ? ଉତ୍ତର: ପ୍ରାଚୀନ କାଳରୁ ଭାରତରେ ଧାର୍ମିକ ଉଦାରତା ଦେଖିବାକୁ ମିଳେ। ସମ୍ରାଟ ଅଶୋକ ନିଜେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ମଧ୍ୟ ସବୁ ଧର୍ମ ପ୍ରତି ସମାନ ମନୋଭାବ ପୋଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମ୍ରାଟ ଆକବର ସର୍ବଧର୍ମ ସମନ୍ୱୟରେ 'ଦିନ୍-ଇ-ଇଲାହୀ' ପ୍ରବର୍ତ୍ତନ କରିଥିଲେ। ଇସ୍‌ଲାମ ଓ ଖ୍ରୀଷ୍ଟଧର୍ମର ପ୍ରବେଶକୁ ମଧ୍ୟ ବିରୋଧ କରାଯାଇନଥିଲା। ଊନବିଂଶ ଶତାବ୍ଦୀର ସଂସ୍କାରକମାନେ ସବୁଧର୍ମକୁ ସମାନ ଚକ୍ଷୁରେ ଦେଖିବା ପାଇଁ ପ୍ରବର୍ତ୍ତାଇଥିଲେ, ଯାହା ଭାରତୀୟ ଧର୍ମକ୍ଷେତ୍ରରେ ଉଦାରତାର ସ୍ପଷ୍ଟ ପ୍ରମାଣ।

(ଗ) ଗଣତନ୍ତ୍ର ଓ ସାଧାରଣତନ୍ତ୍ରର ପରମ୍ପରା ଭାରତରେ କେବେଠାରୁ ଓ କିପରି ସୃଷ୍ଟି ହୋଇଛି ? ଉତ୍ତର: ବୈଦିକ ଯୁଗରୁ ହିଁ ଭାରତରେ ଗଣତନ୍ତ୍ର ଓ ସାଧାରଣତନ୍ତ୍ରର ପରମ୍ପରା ସୃଷ୍ଟି ହୋଇଛି। ସେ ସମୟରେ ‘ସଭା’ ଓ ‘ସମିତି’ ନାମକ ଦୁଇଟି ଅନୁଷ୍ଠାନ ଥିଲା ଯେଉଁଥିରେ ସାଧାରଣ ଲୋକେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଭାଗ ନେଉଥିଲେ। ଋକ୍ ବୈଦିକ ଯୁଗରେ ‘ଗଣ’ ନାମରେ ପରିଚିତ କେତେକ ସାଧାରଣତନ୍ତ୍ର ଥିଲା। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ମଧ୍ୟ ବୃଜି ଓ ମଲ୍ଲ ଭଳି ସାଧାରଣତନ୍ତ୍ର ରାଜ୍ୟ ଥିଲା ଯାହା ନିର୍ବାଚିତ ପ୍ରତିନିଧି ଓ ରାଜାଙ୍କ ଦ୍ୱାରା ଶାସିତ ହେଉଥିଲା।

(ଘ) ଭାରତରେ କିପରି ଗ୍ରାମ୍ୟ ଅର୍ଥନୀତିର ପରମ୍ପରା ସୃଷ୍ଟି ହୋଇଛି ? ଉତ୍ତର: ବୈଦିକ ସଭ୍ୟତାରେ ଗ୍ରାମ ହିଁ ଆର୍ଥିକ ବିକାଶର କେନ୍ଦ୍ର ଥିଲା। ଗ୍ରାମର ଆର୍ଥିକ ବିକାଶରେ ରାଷ୍ଟ୍ରର ବିକାଶ ସମ୍ଭବ ବୋଲି ବିଶ୍ୱାସ କରାଯାଉଥିଲା। ପ୍ରତ୍ୟେକ ଗ୍ରାମରେ କୃଷି, ପଶୁପାଳନ ଓ କୁଟୀର ଶିଳ୍ପକୁ ଗୁରୁତ୍ୱ ଦିଆଯାଉଥିଲା ଏବଂ ଗୁରୁକୁଳଗୁଡ଼ିକରେ ଏହାର ବୈଷୟିକ ଶିକ୍ଷା ଦିଆଯାଉଥିଲା। ପ୍ରାକ୍-ମୌର୍ଯ୍ୟ ଯୁଗରେ ପ୍ରତ୍ୟେକ ଗ୍ରାମକୁ ଆତ୍ମନିର୍ଭରଶୀଳ କରାଯାଇ ଚାଷୀକୁ ଜମିର ମାଲିକାନା ସ୍ୱତ୍ତ୍ୱ ଦିଆଯାଉଥିଲା। ଏହିପରି ଭାବେ ଭାରତରେ ଗ୍ରାମ୍ୟ ଅର୍ଥନୀତିର ଦୃଢ଼ ପରମ୍ପରା ସୃଷ୍ଟି ହୋଇଥିଲା।

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦ ମଧ୍ଯରେ ଲେଖ।

(କ) ଯୌଥ ପରିବାରର ସମ୍ପତ୍ତିରେ କାହାର ଭାଗ ଥାଏ ? ଉତ୍ତର: ଯୌଥ ପରିବାରର ସମ୍ପତ୍ତିରେ ରୋଜଗାର କରୁଥିବା ଏବଂ ରୋଜଗାର ନ କରୁଥିବା ସମସ୍ତ ସଦସ୍ୟଙ୍କର ସମାନ ଭାଗ ଥାଏ।

(ଖ) ଭାରତୀୟ ସମାଜରେ ବରିଷ୍ଠ ବ୍ୟକ୍ତିଙ୍କୁ କିପରି ସମ୍ବୋଧନ କରାଯାଏ ଓ ସାକ୍ଷାତ ସମୟରେ କିପରି ଭକ୍ତି ପ୍ରଦର୍ଶନ କରାଯାଏ ? ଉତ୍ତର: ବରିଷ୍ଠ ବ୍ୟକ୍ତିମାନଙ୍କର ନାମ ଉଚ୍ଚାରଣ ନକରି ସମ୍ମାନର ସହ ସମ୍ବୋଧନ କରାଯାଏ ଏବଂ ସାକ୍ଷାତ୍ ସମୟରେ ନତମସ୍ତକ ହୋଇ ପ୍ରଣାମ କରି ଭକ୍ତି ପ୍ରଦର୍ଶନ କରାଯାଏ।

(ଗ) ଭାରତୀୟମାନେ କିପରି ସାମାଜିକ ଉତ୍ସବଗୁଡ଼ିକ ପାଳନ କରନ୍ତି ? ଉତ୍ତର: ଉତ୍ସବ ପାଳନ ଅବସରରେ ପରିବାରର ସଦସ୍ୟମାନେ ବନ୍ଧୁବାନ୍ଧବ ଓ ସମ୍ପର୍କୀୟମାନଙ୍କ ସହିତ ଏକତ୍ର ହୁଅନ୍ତି ଏବଂ ଧର୍ମୀୟ ରୀତିନୀତି ଓ ଆନନ୍ଦ ଉଲ୍ଲାସରେ ସମସ୍ତେ ଭାଗ ନିଅନ୍ତି।

(ଘ) ସମସ୍ତ ଧର୍ମାବଲମ୍ବୀ କେଉଁ ତତ୍ତ୍ୱକୁ ନିଜ ଧର୍ମର ମୂଳନୀତିଭାବେ ବିଶ୍ଵାସ କରନ୍ତି ? ଉତ୍ତର: ଚିରନ୍ତନ, ସ୍ୱୟଂସ୍ଥିତ ଓ ସର୍ବଶକ୍ତିମାନ ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ସ୍ଥାପନ ଏବଂ ତାଙ୍କ ନିକଟରେ ଆତ୍ମସମର୍ପଣକୁ ସମସ୍ତ ଧର୍ମାବଲମ୍ବୀ ନିଜ ଧର୍ମର ମୂଳନୀତି ବୋଲି ବିଶ୍ୱାସ କରନ୍ତି।

(ଙ) କେତେକ ଧର୍ମରେ ମୂର୍ତ୍ତିପୂଜା ବ୍ୟତୀତ ଆଉ କ’ଣ ପୂଜା କରିବାର ପରମ୍ପରା ରହିଛି ? ଉତ୍ତର: କେତେକ ଧର୍ମରେ ମୂର୍ତ୍ତିପୂଜା ବ୍ୟତୀତ ପ୍ରକୃତି ପୂଜା ଏବଂ ଧର୍ମଗ୍ରନ୍ଥ ପୂଜାର ପରମ୍ପରା ମଧ୍ୟ ରହିଛି।

(ଚ) ଭାରତରେ ନୃତ୍ୟ ଓ ଗୀତକୁ ମନୋରଞ୍ଜନ ଓ ଜୀବନଯାପନର ମାଧ୍ୟମ ବ୍ୟତୀତ ଆଉ କ’ଣ ଭାବେ ବିବେଚନା କରାଯାଏ ? ଉତ୍ତର: ନୃତ୍ୟ ଓ ଗୀତକୁ ଶିଳ୍ପୀର ସୃଜନ ପ୍ରବଣତା ଓ ଭାରତୀୟ ସାଂସ୍କୃତିକ ପରମ୍ପରାର ଏକ ମହତ୍ତ୍ୱପୂର୍ଣ୍ଣ ଉପାଦାନ ଭାବେ ବିବେଚନା କରାଯାଏ।

(ଛ) କେଉଁ ଦୁଇଟି ପ୍ରାଚୀନ ଗ୍ରନ୍ଥରେ ଯଥାକ୍ରମେ ଜ୍ୟୋତିଷ ବିଦ୍ୟା ଓ ଚିକିତ୍ସା ବିଦ୍ୟାର ବର୍ଣ୍ଣନା ଭାରତୀୟମାନଙ୍କ ମଧ୍ଯରେ ଉକ୍ତ ବିଷୟରେ ଆଗ୍ରହ ସୃଷ୍ଟି କଲା ? ଉତ୍ତର: ଜ୍ୟୋତିଷ ବେଦାଙ୍ଗରେ ଜ୍ୟୋତିଷ ବିଦ୍ୟା ଏବଂ ଅଥର୍ବ ବେଦରେ ଚିକିତ୍ସା ବିଦ୍ୟାର ବର୍ଣ୍ଣନା ହୋଇ ଏହି ବିଷୟରେ ଆଗ୍ରହ ସୃଷ୍ଟି କରିଥିଲା।

(ଜ) ବୈଦିକ ଯୁଗରେ ଦୁଇ ଗଣତାନ୍ତ୍ରିକ ଅନୁଷ୍ଠାନର ନାମ କ’ଣ ଥିଲା ? ଉତ୍ତର: ବୈଦିକ ଯୁଗରେ ‘ସଭା’ ଓ ‘ସମିତି’ ନାମକ ଦୁଇଟି ଗଣତାନ୍ତ୍ରିକ ଅନୁଷ୍ଠାନ ଥିଲା।

(ଝ) ବୈଦିକ ଯୁଗରେ ଅର୍ଥନୈତିକ ପ୍ରଗତିର ଏକ ମାଧ୍ୟମ ରୂପେ କୃଷିର ପରମ୍ପରା ସୃଷ୍ଟି ହେବାର କାରଣ କ'? ଉତ୍ତର: ସେତେବେଳେ ଶସ୍ୟଶ୍ୟାମଳା ଜମିର ଅଭାବ ନ ଥିବାରୁ ଓ ଆର୍ଯ୍ୟମାନେ କର୍ମଠ ହୋଇଥିବାରୁ ଅର୍ଥନୈତିକ ପ୍ରଗତିର ମାଧ୍ୟମ ରୂପେ କୃଷିର ପରମ୍ପରା ସୃଷ୍ଟି ହେଲା।

(ଞ) ମୌର୍ଯ୍ୟଯୁଗରେ ବାଣିଜ୍ୟର ବିକାଶ ପାଇଁ କ’ଣ ନିର୍ମାଣ କରାଯାଇଥୁଲା ? ଉତ୍ତର: ମୌର୍ଯ୍ୟଯୁଗରେ ବାଣିଜ୍ୟର ବିକାଶ ପାଇଁ ବିଭିନ୍ନ ସ୍ଥାନରେ ବାଣିଜ୍ୟ କେନ୍ଦ୍ର ଓ ପୋତାଶ୍ରୟ (ବନ୍ଦର) ନିର୍ମାଣ କରାଯାଇଥିଲା।

୩. ପ୍ରତ୍ୟେକ ପ୍ରଶ୍ନର ଗୋଟିଏ ବାକ୍ୟରେ ଲେଖ।

(କ) ପ୍ରତ୍ୟେକ ଧର୍ମରେ ବିବାହକୁ କି ଭାବରେ ଗ୍ରହଣ କରାଯାଏ ? ଉତ୍ତର: ଭାରତରେ ବିବାହକୁ ପତି ପତ୍ନୀଙ୍କର ଏକ ପବିତ୍ର ବନ୍ଧନ ଓ ଏକ ପବିତ୍ର ସାମାଜିକ ଅନୁଷ୍ଠାନ ଭାବେ ଗ୍ରହଣ କରାଯାଏ।

(ଖ) ଆକ୍‌ବର ଘୋଷଣା କରିଥିବା ନୂତନ ଧାର୍ମିକ ପନ୍ଥାର ନାମ କ’ଣ ଥିଲା ? ଉତ୍ତର: ଆକ୍‌ବର ଘୋଷଣା କରିଥିବା ନୂତନ ଧାର୍ମିକ ପନ୍ଥାର ନାମ 'ଦିନ୍-ଇ-ଲ୍ଲାହୀ' ଥିଲା।

(ଗ) ମୁସଲମାନମାନେ ପରମ୍ପରା କ୍ରମେ କେଉଁ ସ୍ଥାନକୁ ତୀର୍ଥଯାତ୍ରା କରିବାକୁ ଯାଆନ୍ତି ? ଉତ୍ତର: ମୁସଲମାନମାନେ ପରମ୍ପରା କ୍ରମେ ଇସ୍‌ଲାମ୍ ଧର୍ମର ପବିତ୍ର ସ୍ଥାନ 'ମକ୍କା'କୁ ତୀର୍ଥଯାତ୍ରା (ହଜ୍) କରିବାକୁ ଯାଆନ୍ତି।

(ଘ) ଆର୍ଯ୍ୟମାନଙ୍କର କେଉଁ ଦାର୍ଶନିକ ଚିନ୍ତାଧାରା ଭାରତରେ ବିଶ୍ଵଭ୍ରାତୃତ୍ୱଭାବର ପରମ୍ପରା ସୃଷ୍ଟି କରିଛି ? ଉତ୍ତର: ଆର୍ଯ୍ୟମାନଙ୍କର ଦାର୍ଶନିକ ଚିନ୍ତାଧାରା “ବସୁଧୈବ କୁଟୁମ୍ବକମ୍” ଭାରତରେ ବିଶ୍ଵ ଭ୍ରାତୃତ୍ୱଭାବର ବଳିଷ୍ଠ ପରମ୍ପରା ସୃଷ୍ଟି କରିଛି।

(ଙ) କେଉଁ ବେଦରୁ ଭାରତୀୟ ଶାସ୍ତ୍ରୀୟ ସଂଗୀତ ସୃଷ୍ଟି ହୋଇଛି ? ଉତ୍ତର: ସାମବେଦରୁ ଭାରତୀୟ ଶାସ୍ତ୍ରୀୟ ସଂଗୀତର ସୃଷ୍ଟି ହୋଇଛି।

(ଚ) ପୁରାତନ ଯୁଗରେ କିଏ ସାହିତ୍ୟ ରଚନାର ଆଦର୍ଶ ହେଲେ ? ଉତ୍ତର: ଗୁପ୍ତଯୁଗରେ କାଳିଦାସ ସାହିତ୍ୟ ରଚନାର ଏକ ଆଦର୍ଶ ହେଲେ।

(ଛ) ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ କେଉଁ ସାଧାରଣତନ୍ତ୍ର ଆଠଟି ବଂଶ ବା ଗୋଷ୍ଠୀର ଏକ ରାଜ୍ୟସଂଘ ଥିଲା ? ଉତ୍ତର: ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ‘ଜ୍ରିଵି’ ବା ‘ବୃଜି’ ସାଧାରଣତନ୍ତ୍ର ଆଠଟି ବଂଶ ବା ଗୋଷ୍ଠୀର ଏକ ରାଜ୍ୟସଂଘ ଥିଲା।

(ଜ) ଅମଲାତନ୍ତ୍ରର ମୁଖ୍ୟ କାର୍ଯ୍ୟ କ’ଣ ? ଉତ୍ତର: ଶାସନର ନୀତିଗୁଡ଼ିକ କାର୍ଯ୍ୟକାରୀ କରିବା ଅମଲାତନ୍ତ୍ରର ମୁଖ୍ୟ କାର୍ଯ୍ୟ ଅଟେ।

(ଝ) ପାଶ୍ଚାତ୍ୟ ଦେଶଗୁଡ଼ିକ କାହିଁକି ଭାରତରେ ବାଣିଜ୍ୟ କୋଠିମାନ ନିର୍ମାଣ କରିଥିଲେ ? ଉତ୍ତର: ପାଶ୍ଚାତ୍ୟ ଦେଶଗୁଡ଼ିକ ଭାରତର ସମୃଦ୍ଧ ବାଣିଜ୍ୟିକ ପରମ୍ପରାଦ୍ୱାରା ଆକୃଷ୍ଟ ହୋଇ ନିଜ ଦେଶର ବ୍ୟାବସାୟିକ ଉନ୍ନତି ପାଇଁ ଭାରତରେ ବାଣିଜ୍ୟ କୋଠିମାନ ନିର୍ମାଣ କରିଥିଲେ।

(ଞ) ବୈଦିକ ଯୁଗରେ ଶିକ୍ଷାନୁଷ୍ଠାନଗୁଡ଼ିକୁ କ’ଣ କୁହାଯାଉଥିଲା ? ଉତ୍ତର: ବୈଦିକ ଯୁଗରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ‘ଗୁରୁକୁଳ’ କୁହାଯାଉଥିଲା।

୪. ନିମ୍ନରେ ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥୁବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ।

(କ) ଭାରତୀୟ ପରିବାରରେ ସମସ୍ତ କାର୍ଯ୍ୟପାଇଁ କିଏ ନିଷ୍ପଭି ନିଅନ୍ତି ? ଉତ୍ତର: (iv) ବିବାହିତ ବା ଅବିବାହିତ, ରୋଜଗାର କରୁଥିବା ବା ନ କରୁଥିବା ବରିଷ୍ଠତମ ସଦସ୍ୟ

(ଖ) ପରମାତ୍ମା ସହିତ ଆତ୍ମାର ସମ୍ପର୍କ ପାଇଁ କେଉଁଟି ସର୍ବଜନାଦୃତ ? ଉତ୍ତର: (ii) ଭକ୍ତିମାର୍ଗ

(ଗ) କେଉଁ ଯୁଗରୁ ଭାରତରେ ଚିତ୍ରକଳାର ଉଦ୍ଭବ ହୋଇଛି ? ଉତ୍ତର: (i) ପ୍ରାଗ୍-ଐତିହାସିକ

(ଘ) କେଉଁଥ୍‌ରୁ ଭାରତୀୟ ପାରମ୍ପରିକ ନୃତ୍ୟଗୁଡ଼ିକର ବିକାଶ ହୋଇଛି ? ଉତ୍ତର: (ii) ପ୍ରାଚୀନ ମୂର୍ତ୍ତିକଳା

(ଙ) କାହାକୁ ଭାରତର ପ୍ରାଚୀନତମ ସାହିତ୍ୟ ଭାବେ ବିବେଚନା କାରାଯାଏ ? ଉତ୍ତର: (i) ବେଦ

(ଚ) କାହାର ଆଧାରରେ ଆୟୁର୍ବେଦ ଚିକିତ୍ସାର ବିକାଶ ହୋଇଛି ? ଉତ୍ତର: (ii) ବୃକ୍ଷଲତାର ଔଷଧୀୟ ଗୁଣ

(ଛ) ବୈଦିକ ଯୁଗର କେଉଁ ଗଣତାନ୍ତ୍ରିକ ଅନୁଷ୍ଠାନରେ ସମାଜର ସମସ୍ତ ଶ୍ରେଣୀରୁ ସଦସ୍ୟ ମନୋନୀତ ହେଉଥିଲେ ? ଉତ୍ତର: (iv) ସମିତି

(ଜ) କେଉଁ ସମୟରେ ଭାରତରେ ପ୍ରଥମେ ପୌର ଶାସନ ବ୍ୟବସ୍ଥା ପ୍ରତିଷ୍ଠିତ ହୋଇଥିଲା ? ଉତ୍ତର: (iii) ମୌର୍ଯ୍ୟ ଯୁଗ

(ଝ) କିଏ ଭାରତରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଏକ ନିୟମିତ ଢଙ୍ଗରେ ପ୍ରତିଷ୍ଠା କରିଥିଲେ ? ଉତ୍ତର: (iv) ଲର୍ଡ ରିପନ୍

(ଞ) ଗୁପ୍ତଯୁଗରେ କ’ଣ ପରିବାରର ସବୁଠାରୁ ଅଧୂକ ମୂଲ୍ୟବାନ୍ ସମ୍ପତ୍ତି ରୂପେ ବିବେଚିତ ହେଉଥିଲା ? ଉତ୍ତର: (iii) ଚାଷ ଜମି