୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦରେ ଲେଖ ।
(କ) ସୂଚନା ଅଧିକାର ଆଇନର ମୁଖ୍ୟ
ଉଦ୍ଦେଶ୍ୟଗୁଡ଼ିକ ବର୍ଣ୍ଣନ କର । ଉତ୍ତର: ସୂଚନା ଅଧିକାର ଆଇନର ତିନୋଟି ମୁଖ୍ୟ ଉଦ୍ଦେଶ୍ୟ ରହିଛି । ପ୍ରଥମତଃ, ସରକାରଙ୍କର ତଥା ସୂଚନା ଅଧିକାର
ପରିସରଭୁକ୍ତ ଅନ୍ୟ ସମସ୍ତ କର୍ତ୍ତୃପକ୍ଷଙ୍କର କାର୍ଯ୍ୟାବଳୀକୁ ସୂଚନା ମାଧ୍ୟମରେ ପ୍ରକାଶ କରି
ସ୍ୱଚ୍ଛତା ରକ୍ଷା କରିବା । ଦ୍ୱିତୀୟତଃ, ଦେଶର ନାଗରିକମାନଙ୍କ ନିକଟରେ ସରକାରୀ କଳ ଏବଂ ଏହାର କର୍ମଚାରୀମାନେ ସେମାନଙ୍କ ସମସ୍ତ
କାର୍ଯ୍ୟ ଓ ନିଷ୍ପତ୍ତି ପାଇଁ ଉତ୍ତରଦାୟୀ ରହିବା । ତୃତୀୟତଃ, ଦେଶରୁ ତଥା ସମାଜରୁ
ଦୁର୍ନୀତିକୁ ପ୍ରତିହତ କରିବା ।
(ଖ) କେନ୍ଦ୍ରୀୟ ସୂଚନା କମିଶନର
ଗଠନ ପ୍ରଣାଳୀ ସମ୍ପର୍କରେ ଆଲୋଚନା କର । ଉତ୍ତର: କେନ୍ଦ୍ରୀୟ ସୂଚନା କମିଶନରେ ଜଣେ ମୁଖ୍ୟ ସୂଚନା କମିଶନର ଏବଂ
ସର୍ବାଧିକ ଦଶ ଜଣ ଅନ୍ୟ ସୂଚନା କମିଶନର ରହିବେ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ
କମିଟିର ସୁପାରିସ କ୍ରମେ ରାଷ୍ଟ୍ରପତି ଏମାନଙ୍କୁ ନିଯୁକ୍ତି ଦେବେ । ଏହି କମିଟିରେ ଲୋକସଭାର
ବିରୋଧୀଦଳ ନେତା ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ଜଣେ କେନ୍ଦ୍ରୀୟ କ୍ୟାବିନେଟ୍
ମନ୍ତ୍ରୀ ସଦସ୍ୟ ରହିବେ । ନିଯୁକ୍ତ ବ୍ୟକ୍ତିମାନେ ଆଇନ, ବିଜ୍ଞାନ, ସମାଜସେବା ଆଦି କ୍ଷେତ୍ରରେ ଅଭିଜ୍ଞତା ଥିବା ପ୍ରଖ୍ୟାତ ବ୍ୟକ୍ତି ହୋଇଥିବେ ।
(ଗ) କେନ୍ଦ୍ରୀୟ ସୂଚନା କମିଶନ ଓ
ରାଜ୍ୟ ସୂଚନା କମିଶନରଗୁଡ଼ିକର କ୍ଷମତା ସଂକ୍ଷେପରେ ଲେଖ । ଉତ୍ତର: ଲୋକ ସୂଚନା ଅଧିକାରୀ
ଦରଖାସ୍ତ ଗ୍ରହଣ ନକଲେ କିମ୍ବା ନିର୍ଦ୍ଦିଷ୍ଟ ସମୟରେ ସଠିକ୍ ସୂଚନା ନଦେଲେ କମିଶନ ସିଧାସଳଖ
ଦରଖାସ୍ତ ଗ୍ରହଣ କରି ବିଧିବଦ୍ଧ ତଦନ୍ତ କରିପାରିବେ । ତଦନ୍ତ ସମୟରେ କମିଶନଙ୍କର ଏକ ସିଭିଲ୍
କୋର୍ଟ ବା ଦେୱାନୀ ଅଦାଲତର କ୍ଷମତା ରହିବ, ଯାହା ବଳରେ ସେମାନେ ସମନ ଜାରି କରିପାରିବେ ଏବଂ ସରକାରୀ ରେକର୍ଡ଼ପତ୍ର ମଗାଇ ପାରିବେ ।
ନିୟମ ଉଲ୍ଲଂଘନକାରୀ ଅଧିକାରୀଙ୍କ ଉପରେ ଶାସ୍ତିବିଧାନ କରିବାର କ୍ଷମତା ମଧ୍ୟ କମିଶନଙ୍କର ଅଛି ।
୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦରେ ଲେଖ ।
(କ) ସୂଚନା ଅଧିକାର ଆଇନରେ
ଉଲ୍ଲେଖ ଥିବା ଶାସ୍ତିବିଧାନ ବ୍ୟବସ୍ଥା ବିଷୟରେ ସଂକ୍ଷେପରେ ଲେଖ । ଉତ୍ତର: ଯଦି ଲୋକ ସୂଚନା ଅଧିକାରୀ
ତଥ୍ୟ ନଦିଅନ୍ତି କିମ୍ବା ଭୁଲ୍ ତଥ୍ୟ ଦିଅନ୍ତି, ତେବେ କମିଶନ ବିଳମ୍ବ ପାଇଁ ଦିନକୁ ୨୫୦ ଟଙ୍କା ହିସାବରେ ସର୍ବାଧିକ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ
ଜୋରିମାନା କରିପାରିବେ ।
(ଖ) ସୂଚନା କିପରି ମିଳିପାରିବ, ସେହି ପ୍ରଣାଳୀ ସୂଚିତ କର । ଉତ୍ତର: ନାଗରିକମାନେ
ନିର୍ଦ୍ଦିଷ୍ଟ ଫର୍ମରେ ଲୋକ ସୂଚନା ଅଧିକାରୀଙ୍କ ନିକଟରେ ୧୦ ଟଙ୍କା ଫିସ୍ ଦେଇ (ବି.ପି.ଏଲ୍
ପାଇଁ ମାଗଣା) ସିଧାସଳଖ, ଡାକ ବା ଇ-ମେଲ୍ ଯୋଗେ ଆବେଦନ
କରିପାରିବେ ।
(ଗ) କେଉଁ କ୍ଷେତ୍ରରେ
ଆବେଦନକାରୀ ମାଗିଥିବା ତଥ୍ୟର ସୂଚନା ତାଙ୍କୁ ମିଳିବ ନାହିଁ, ତାହା ସଂକ୍ଷେପରେ ଲେଖ । ଉତ୍ତର: ଦେଶର ସାର୍ବଭୌମତ୍ୱ ଓ
ନିରାପତ୍ତା ପ୍ରତି ଆଞ୍ଚ ଆସୁଥିବା ତଥ୍ୟ, ସାମରିକ ଗୋପନୀୟତା, ଅନ୍ୟ ରାଷ୍ଟ୍ର ସହ ସମ୍ପର୍କ
କ୍ଷୁଣ୍ଣ କରୁଥିବା ତଥ୍ୟ ଏବଂ ମନ୍ତ୍ରୀମଣ୍ଡଳ ବୈଠକର ଆଲୋଚନା ବିବରଣୀ ଇତ୍ୟାଦି ଦିଆଯିବ ନାହିଁ
।
(ଘ) ଲୋକ ସୂଚନା ଅଧିକାରୀଙ୍କ
କର୍ତ୍ତବ୍ୟ ଉଲ୍ଲେଖ କର । ଉତ୍ତର: ତାଙ୍କର ପ୍ରଧାନ କର୍ତ୍ତବ୍ୟ ହେଲା ଦରଖାସ୍ତ ଗ୍ରହଣ କରିବା ଏବଂ ସର୍ବାଧିକ ୩୦ ଦିନ
(ବା କେତେକ କ୍ଷେତ୍ରରେ ୪୮ ଘଣ୍ଟା) ମଧ୍ୟରେ ସଠିକ୍ ସୂଚନା ଯୋଗାଇଦେବା ।
(ଙ) ରାଜ୍ୟ ସୂଚନା କମିଶନ କିପରି
ଗଠିତ ହୁଏ ? ଉତ୍ତର: ମୁଖ୍ୟମନ୍ତ୍ରୀଙ୍କ
ଅଧ୍ୟକ୍ଷତାରେ ଗଠିତ ଏକ କମିଟିର ସୁପାରିସ କ୍ରମେ ରାଜ୍ୟପାଳଙ୍କ ଦ୍ୱାରା ଜଣେ ରାଜ୍ୟ ମୁଖ୍ୟ
ସୂଚନା କମିଶନର ଏବଂ ସର୍ବାଧିକ ୧୦ ଜଣ ରାଜ୍ୟ ସୂଚନା କମିଶନର ନିଯୁକ୍ତ ହୋଇଥାଆନ୍ତି ।
(ଚ) କେନ୍ଦ୍ରୀୟ ସୂଚନା କମିଶନର
ଅଧ୍ୟକ୍ଷ ଓ ସଦସ୍ୟମାନଙ୍କର କାର୍ଯ୍ୟକାଳ ଏବଂ ସେମାନଙ୍କର ଅବସର ପାଇଁ ଉଦ୍ଦିଷ୍ଟ ବୟସ ସୀମା
ଉଲ୍ଲେଖ କର । ଉତ୍ତର: ମୁଖ୍ୟ ଏବଂ ଅନ୍ୟ
ସୂଚନା କମିଶନରମାନେ ଯୋଗଦାନ କରିବା ଦିନଠାରୁ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ଏବଂ
ସେମାନଙ୍କର ଅବସର ପାଇଁ ବୟସ ସୀମା ୬୫ ବର୍ଷ ଅଟେ ।
୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।
(କ) କେତେ ବର୍ଷ ପୂର୍ବର ଘଟଣା
ହୋଇଥିଲେ, ସେ ସମ୍ପର୍କିତ ତଥ୍ୟ ଦିଆଯାଇ
ପାରିବ ନାହିଁ ? ଉତ୍ତର: ୨୦ ବର୍ଷରୁ ଅଧିକ
ପୂର୍ବର ଘଟଣା ହୋଇଥିଲେ, ସେ ସମ୍ପର୍କିତ ତଥ୍ୟ ଦିଆଯାଇ
ପାରିବ ନାହିଁ ।
(ଖ) କେତେ ଦିନ ମଧ୍ୟରେ
ଆବେଦନକାରୀଙ୍କୁ ସୂଚନା ଦେବାକୁ ପଡ଼ିବ ? ଉତ୍ତର: ଆବେଦନକାରୀ ଦରଖାସ୍ତ
ଦେବାର ୩୦ ଦିନ ମଧ୍ୟରେ ତାଙ୍କୁ ସୂଚନା ଦେବାକୁ ପଡ଼ିବ ।
(ଗ) କେଉଁ କ୍ଷେତ୍ରରେ ୪୮ ଘଣ୍ଟା
ମଧ୍ୟରେ ସୂଚନା ଦେବାକୁ ପଡ଼ିବ ? ଉତ୍ତର: ସୂଚନା ଯଦି କୌଣସି
ବ୍ୟକ୍ତିଙ୍କ ଜୀବନ ବା ବ୍ୟକ୍ତିଗତ ସ୍ୱାଧୀନତା ସମ୍ପର୍କିତ ହୋଇଥାଏ, ତେବେ ୪୮ ଘଣ୍ଟା ମଧ୍ୟରେ ସେହି
ସୂଚନା ଦେବାକୁ ପଡ଼ିବ ।
(ଘ) ଆବେଦନକାରୀ କେତେ ଟଙ୍କା
ଫିସ୍ ଦାଖଲ କରିବେ ଓ କେଉଁ ବର୍ଗର ଦରଖାସ୍ତକାରୀଙ୍କୁ ଫିସ୍ ଦେବାକୁ ପଡ଼ିବ ନାହିଁ ? ଉତ୍ତର: ସାଧାରଣ ଆବେଦନକାରୀ ୧୦ ଟଙ୍କା ଫିସ୍ ଦାଖଲ କରିବେ ଏବଂ
ଦାରିଦ୍ର୍ୟ ସୀମାରେଖା ତଳେ ଥିବା (ବି.ପି.ଏଲ୍) ବର୍ଗର ଦରଖାସ୍ତକାରୀଙ୍କୁ କୌଣସି ଫିସ୍ ଦେବାକୁ
ପଡ଼ିବ ନାହିଁ ।
(ଙ) ପ୍ରତି କାର୍ଯ୍ୟାଳୟରେ
କାର୍ଯ୍ୟରତ କେଉଁ ଅଧିକାରୀଙ୍କ ନିକଟରେ ସୂଚନା ପାଇବା ପାଇଁ ଦରଖାସ୍ତ ଦାଖଲ କରାଯିବ ? ଉତ୍ତର: ପ୍ରତ୍ୟେକ କାର୍ଯ୍ୟାଳୟରେ ଥିବା ସହକାରୀ ଲୋକ ସୂଚନା
ଅଧିକାରୀ (ଏ.ପି.ଆଇ.ଓ) ବା ଲୋକ ସୂଚନା ଅଧିକାରୀ (ପି.ଆଇ.ଓ)ଙ୍କ ନିକଟରେ ଦରଖାସ୍ତ ଦାଖଲ
କରାଯିବ ।
(ଚ) ସୂଚନା ଅଧିକାର ଆଇନ କେଉଁ
ଦିନ ଓଡ଼ିଶାରେ କାର୍ଯ୍ୟକାରୀ ହେଲା ? ଉତ୍ତର: ସୂଚନା ଅଧିକାର ଆଇନ
୨୦୦୫ ମସିହା ନଭେମ୍ବର ମାସ ୧୯ ତାରିଖ ଦିନ ଓଡ଼ିଶାରେ କାର୍ଯ୍ୟକାରୀ ହେଲା ।
(ଛ) କେତେ ଦିନ ମଧ୍ୟରେ ପ୍ରଥମ
ଅପିଲ ଦାୟର କରାଯିବ ଓ କେତେଟଙ୍କାର କୋର୍ଟ ଫି ଷ୍ଟାମ୍ଫ ଲଗାଇ ଦରଖାସ୍ତ କରାଯିବ ? ଉତ୍ତର: ଲୋକ ସୂଚନା ଅଧିକାରୀଙ୍କ ତଥ୍ୟରେ ସନ୍ତୁଷ୍ଟ ନହେଲେ ୩୦ ଦିନ
ମଧ୍ୟରେ ୨୦ ଟଙ୍କାର କୋର୍ଟ ଫି ଷ୍ଟାମ୍ପ ଲଗାଇ ପ୍ରଥମ ଅପିଲ୍ ଦାୟର କରାଯିବ ।
(ଜ) କେତେ ଦିନ ମଧ୍ୟରେ ପ୍ରଥମ
ଅପିଲ ଅଧିକାରୀ ତାଙ୍କର ନିଷ୍ପତ୍ତି ଜଣାଇବେ ? ଉତ୍ତର: ପ୍ରଥମ ଅପିଲ ଅଧିକାରୀ
୩୦ ଦିନ ବା ଯୁକ୍ତିଯୁକ୍ତ କାରଣ ଦର୍ଶାଇ ସର୍ବମୋଟ ୪୫ ଦିନ ମଧ୍ୟରେ ତାଙ୍କର ନିଷ୍ପତ୍ତି ଜଣାଇବେ
।
(ଝ) କେତେ ଦିନ ମଧ୍ୟରେ ସୂଚନା
କମିଶନଙ୍କ ନିକଟରେ ଦ୍ୱିତୀୟବାର ଅପିଲ୍ କରିହେବ ଓ ସେଥିପାଇଁ କେତେ ଟଙ୍କାର କୋର୍ଟ ଫି ଦେବାକୁ
ପଡ଼ିବ ? ଉତ୍ତର: ପ୍ରଥମ ଅପିଲ୍
ନିଷ୍ପତ୍ତିର ୯୦ ଦିନ ମଧ୍ୟରେ ସୂଚନା କମିଶନଙ୍କ ନିକଟରେ ଦ୍ୱିତୀୟବାର ଅପିଲ୍ କରିହେବ ଏବଂ
ଏଥିପାଇଁ ୨୫ ଟଙ୍କାର କୋର୍ଟ ଫି ଦେବାକୁ ପଡ଼ିବ ।
(ଞ) ଭାରତରେ ସୂଚନା ଅଧିକାର ଆଇନ
କେଉଁଦିନ କାର୍ଯ୍ୟକାରୀ ହେଲା ? ଉତ୍ତର: ଭାରତରେ ସୂଚନା ଅଧିକାର
ଆଇନ ୨୦୦୫ ମସିହା ଅକ୍ଟୋବର ୧୨ ତାରିଖରୁ (ଜାମ୍ମୁ ଓ କାଶ୍ମୀରକୁ ବାଦ୍ ଦେଇ) କାର୍ଯ୍ୟକାରୀ
ହେଲା ।
(ଟ) ଭାରତରେ ସୂଚନା ଅଧିକାର ଆଇନ
ପ୍ରଣୀତ ହେବା ପୂର୍ବରୁ ଦେଶର ଅନ୍ୟ କେଉଁ ରାଜ୍ୟରେ ଏ ସମ୍ପର୍କିତ ଆଇନ ପ୍ରଣୟନ କରାଯାଇଥିଲା ? ଉତ୍ତର: ଆଇନ ପ୍ରଣୀତ ହେବା ପୂର୍ବରୁ ତାମିଲନାଡୁ, ଗୋଆ, ରାଜସ୍ଥାନ, କର୍ଣ୍ଣାଟକ, ମହାରାଷ୍ଟ୍ର, ଦିଲ୍ଲୀ ଓ ଆସାମ ଭଳି
ରାଜ୍ୟମାନଙ୍କରେ ଏ ସମ୍ପର୍କିତ ଆଇନ ପ୍ରଣୟନ କରାଯାଇଥିଲା ।
(୦) ସୂଚନା କମିଶନ ସର୍ବାଧିକ
କେତେ ଟଙ୍କା ପର୍ଯ୍ୟନ୍ତ ଶାସ୍ତିବିଧାନ କରିପାରିବେ ? ଉତ୍ତର: ସୂଚନା କମିଶନ ସୂଚନା ଦେବାରେ ହୋଇଥିବା ବିଳମ୍ବ ପାଇଁ ଦିନକୁ
୨୫୦ ଟଙ୍କା ହିସାବରେ ସର୍ବାଧିକ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଶାସ୍ତିବିଧାନ କରିପାରିବେ ।
ତୁମ ପାଇଁ କାମ : କୌଣସି ଏକ କାର୍ଯ୍ୟାଳୟରେ ଜଣେ ବ୍ୟକ୍ତିଙ୍କର ଅବସରକାଳୀନ ଭତ୍ତା ମିଳିବା ପାଇଁ ସେହି
ବ୍ୟକ୍ତି ପଠାଇଥିବା ଦରଖାସ୍ତ ବହୁଦିନଧରି ଫଇସଲା ନ ହୋଇ ପଡ଼ି ରହିଥିଲେ, ସେହି ବ୍ୟକ୍ତି ସୂଚନା ଅଧିକାର
ଆଇନକୁ କିପରି ପ୍ରୟୋଗ କରିବେ, ତାହା ବୁଝାଇ ଲେଖ । ଉତ୍ତର: ସେହି ବ୍ୟକ୍ତି ସୂଚନା ଅଧିକାର ଆଇନ ଅନୁଯାୟୀ ସମ୍ପୃକ୍ତ କାର୍ଯ୍ୟାଳୟର ଲୋକ ସୂଚନା
ଅଧିକାରୀ (PIO)ଙ୍କ ନିକଟରେ ୧୦ ଟଙ୍କା ଫିସ୍
ଦେଇ ଆବେଦନ କରିପାରିବେ ଏବଂ ତାଙ୍କ ଦରଖାସ୍ତ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ
ସମ୍ପର୍କରେ ତଥ୍ୟ ମାଗିପାରିବେ । ଯଦି ୩୦ ଦିନ ମଧ୍ୟରେ ଉତ୍ତର ନମିଳେ କିମ୍ବା ମିଳିଥିବା
ଉତ୍ତରରେ ସେ ସନ୍ତୁଷ୍ଟ ନହୁଅନ୍ତି, ତେବେ ସେ ପ୍ରଥମ ଅପିଲ୍ ଏବଂ ଆବଶ୍ୟକ ହେଲେ ସୂଚନା କମିଶନଙ୍କ ନିକଟରେ ଦ୍ୱିତୀୟ ଅପିଲ୍
ଦାୟର କରିପାରିବେ ।