୧. (କ) ଭାରତରେ ଜାତୀୟତାବାଦର କିପରି ବିକାଶ ଘଟିଲା, ଆଲୋଚନା କର ।

ଭାରତରେ ଜାତୀୟତାବାଦର ବିକାଶର କୌଣସି ଗୋଟିଏ ନିର୍ଦ୍ଦିଷ୍ଟ କାରଣ ନାହିଁ। ଇଂରେଜ ଶାସନର କୁପ୍ରଭାବ ତଥା ଅନ୍ୟ କେତେକ ପାରିପାର୍ଶ୍ଵକ ଅବସ୍ଥା ଯୋଗୁଁ ଏହା ସମ୍ଭବ ହୋଇଥିଲା। ଏହାର ମୁଖ୍ୟ କାରଣଗୁଡ଼ିକ ହେଲା: ଭାରତର ଭୌଗୋଳିକ ଅଖଣ୍ଡତା, ପ୍ରଶାସନିକ ଏକତା, ଯାତାୟାତ ଓ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି, ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବ ଏବଂ ଇଂରେଜ ଶାସକଙ୍କ ଦ୍ବାରା ଅର୍ଥନୈତିକ ଶୋଷଣ। ଏହା ସହିତ ସାମାଜିକ ଓ ଧର୍ମଗତ ସଂସ୍କାର, ଦେଶାତ୍ମବୋଧକ ସାହିତ୍ୟର ସୃଷ୍ଟି, ବୁଦ୍ଧିଜୀବୀଙ୍କର ଉତ୍‌ଥାନ ଏବଂ ଇଂରେଜମାନଙ୍କ ବର୍ଣ୍ଣବୈଷମ୍ୟ ନୀତି ଭାରତୀୟମାନଙ୍କ ମନରେ ଜାତୀୟ ଚେତନା ଜାଗ୍ରତ କରିବାରେ ବହୁଳ ଭାବରେ ସହାୟକ ହୋଇଥିଲା।

(ଖ) ଜାତୀୟତାବାଦ କହିଲେ ତୁମେ କ’ଣ ବୁଝ ?

ଜାତୀୟତାବାଦ କହିଲେ ଦେଶାତ୍ମବୋଧ, ଦେଶପ୍ରୀତି, ରାଷ୍ଟ୍ର ପ୍ରତି ଆନୁଗତ୍ୟ ଏବଂ ଦେଶ ପାଇଁ ଆମ୍ବୋତ୍ସର୍ଗକୁ ବୁଝାଏ। ଏହା ଏପରି ଏକ ମନସ୍ତାତ୍ତ୍ଵିକ ଭାବଧାରା, ଯେଉଁଠାରେ ଗୋଟିଏ ରାଷ୍ଟ୍ରରେ ବସବାସ କରୁଥିବା ବ୍ୟକ୍ତି ସମୂହ ନିଜ ମଧ୍ୟରେ ଥିବା ଜାତି, ବର୍ଣ୍ଣ, ଧର୍ମ, ଭାଷା ଏବଂ ଆଞ୍ଚଳିକ ବିଭିନ୍ନତାକୁ ଭୁଲିଯାଇ ଦେଶାତ୍ମବୋଧରେ ଉଦ୍‌ବୁଦ୍ଧ ହୁଅନ୍ତି। ଆଲଫ୍ରେଡ୍‌ ଗ୍ରାଜିଆଙ୍କ ମତରେ ଏହା ଏକତ୍ଵର, ରାଜନୈତିକ ଏକତାର ଏବଂ ଦେଶର ସ୍ଵାଧୀନତାର ଏକ ଅନୁଭବ, ଯାହା ଜନସମଷ୍ଟିକୁ ଏକ ଜାତି ତଥା ରାଷ୍ଟ୍ରରେ ପରିଣତ କରିଥାଏ।

(ଗ) ଇଂରେଜ ଶାସକଙ୍କର ଶାସନ ନୀତି ଭାରତୀୟ ଜାତୀୟତାବାଦର ବିକାଶ ପାଇଁ କିପରି ଦାୟୀ ଥୁଲା, ତାହା ସଂକ୍ଷେପରେ ଆଲୋଚନା କର ।

ଇଂରେଜ ଶାସନ ସମୟରେ ସମଗ୍ର ଦେଶ ପାଇଁ ଏକ ପ୍ରକାର ଶାସନ ପଦ୍ଧତି, ଆଇନ ଏବଂ ପ୍ରଶାସନିକ ବ୍ୟବସ୍ଥାର ପ୍ରଚଳନ ଲୋକଙ୍କ ମଧ୍ୟରେ ଏକତା ସୃଷ୍ଟି କରିଥିଲା। କିନ୍ତୁ ଅନ୍ୟପକ୍ଷରେ, ଇଂରେଜ ଶାସକମାନଙ୍କର ପୁଞ୍ଜିବାଦୀ ଅର୍ଥନୀତି, କଞ୍ଚାମାଲ ନେଇ ଭାରତରେ ଅଧିକ ଦାମରେ ବିକ୍ରି କରିବା ଏବଂ ଖଜଣା ବୃଦ୍ଧି ଭାରତୀୟମାନଙ୍କୁ ଆର୍ଥିକ ସ୍ତରରେ ଘୋର ଶୋଷଣ କରିଥିଲା। ଏହାସହ ସେମାନଙ୍କର ଜାତିଗତ ଅହଂଭାବ, ବର୍ଣ୍ଣବୈଷମ୍ୟ ନୀତି ଏବଂ ଭାରତୀୟମାନଙ୍କ ପ୍ରତି ଦୁର୍ବ୍ୟବହାର ଲୋକମାନଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟି କରି ପରୋକ୍ଷରେ ଜାତୀୟତାବାଦର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।

୨. (କ) ଜାତୀୟତାବାଦର ମୁଖ୍ୟ ଉପାଦାନ ସଂକ୍ଷେପରେ ଉଲ୍ଲେଖ କର ।

 ଜାତୀୟତାବାଦର ମୁଖ୍ୟ ଉପାଦାନଗୁଡ଼ିକ ହେଲା: ଭୌଗୋଳିକ ଅଖଣ୍ଡତା, ଜନ୍ମ ବା ଜାତିଗତ ଐକ୍ୟ, ଭାବଗତ ଏବଂ ସାଂସ୍କୃତିକ ଐକ୍ୟ, ସାହିତ୍ୟ ତଥା ଭାଷାଗତ ଐକ୍ୟ, ଧର୍ମଗତ ଐକ୍ୟ, ଅର୍ଥନୈତିକ ବିକାଶ, ଆନ୍ତର୍ଜାତିକ କ୍ରୀଡ଼ା ବା ପ୍ରତିଯୋଗିତା, ଯୁଦ୍ଧର ଭୟ, ଦେଶାତ୍ମବୋଧ ଏବଂ ସ୍ୱାୟତ୍ତ ଶାସନ ବା ସ୍ଵରାଜ।

(ଖ) ପରିବହନ ଓ ଯୋଗାଯୋଗ ବ୍ୟବସ୍ଥା ଜନସମ୍ପର୍କ ବୃଦ୍ଧିରେ କିପରି ସହାୟକ ହେଲା, ତାହା ବୁଝାଇ ଲେଖ ।

ଶାସନକାର୍ଯ୍ୟ ପରିଚାଳନା ପାଇଁ ଇଂରେଜ ସରକାର ନିର୍ମାଣ କରିଥିବା ରେଳପଥ, ରାସ୍ତାଘାଟ, ଡାକ ଓ ଟେଲିଗ୍ରାଫ୍ ବ୍ୟବସ୍ଥା ଯୋଗୁଁ ଯାତାୟାତ ଏବଂ ଯୋଗାଯୋଗ ସହଜ ହୋଇଥିଲା। ଫଳରେ ଭାରତୀୟମାନଙ୍କ ମଧ୍ୟରେ ପାରସ୍ପରିକ ଆଦାନପ୍ରଦାନ ଓ ଜନସମ୍ପର୍କ ବୃଦ୍ଧି ପାଇଲା ଏବଂ ରାଜନୈତିକ ସଚେତନତା ଉନ୍ନତ ହେଲା।

(ଗ) କେଉଁ ପାଶ୍ଚାତ୍ୟ ରାଜନୀତି ବିଜ୍ଞାନୀମାନଙ୍କ ପୁସ୍ତକ ପାଠକରି ଭାରତୀୟମାନେ ଗଣତାନ୍ତ୍ରିକ ଚିନ୍ତାଧାରାରେ ଉଦ୍‌ବୁଦ୍ଧ ହେଲେ ?

ପାଶ୍ଚାତ୍ୟ ରାଜନୀତି ବିଜ୍ଞାନୀ ଜନ୍ ଷ୍ଟୁଆର୍ଟ ମିଲ, ହରବର୍ଟ ସ୍ପେନସର୍ ଓ ଏଡମଣ୍ଡ ବକ୍‌ଙ୍କ ଦ୍ବାରା ଲିଖିତ ପୁସ୍ତକମାନ ପାଠ କରି ଭାରତୀୟମାନେ ଗଣତାନ୍ତ୍ରିକ ଚିନ୍ତାଧାରାରେ ବିଶେଷଭାବେ ଉଦ୍‌ବୁଦ୍ଧ ହେଲେ।

(ଘ) ଇଂରେଜ ଶାସକମାନେ ଭାରତୀୟମାନଙ୍କୁ କିପରି ଅର୍ଥନୈତିକ ସ୍ତରରେ ଶୋଷଣ କରୁଥିଲେ ?

ଇଂରେଜମାନେ ଭାରତରୁ ଶସ୍ତା ମୂଲ୍ୟରେ କଞ୍ଚାମାଲ କିଣି ନିଜ ଦେଶକୁ ନେଉଥିଲେ ଏବଂ ସେଠାରେ ଉତ୍ପାଦିତ ଦ୍ରବ୍ୟକୁ ଆଣି ଭାରତରେ ଅଧିକ ଦାମରେ ବିକ୍ରି କରୁଥିଲେ। ଫଳରେ କୁଟୀର ଶିଳ୍ପ ନଷ୍ଟ ହେବା ସହ ଅତ୍ୟଧିକ ଖଜଣା ଆଦାୟ ଯୋଗୁଁ ଚାଷୀମାନେ ଅର୍ଥନୈତିକ ଶୋଷଣର ଶିକାର ହୋଇଥିଲେ।

(ଙ) ବଙ୍କିମଚନ୍ଦ୍ରଙ୍କର ଭାରତୀୟ ଜାତୀୟତାବାଦୀ ସାହିତ୍ୟ ପ୍ରତି ଥିବା ଅବଦାନ ଉଲ୍ଲେଖ କର ।

ବଙ୍କିମଚନ୍ଦ୍ର ନିଜର ଉପନ୍ୟାସ ‘ଆନନ୍ଦମଠ’ରେ ଭାରତର ଜାତୀୟତା ଉପରେ ବିଶେଷ ଗୁରୁତ୍ବ ଦେଇଥିଲେ। ତାଙ୍କ ଦ୍ବାରା ରଚିତ “ବନ୍ଦେ ମାତରମ୍” ସଙ୍ଗୀତ ଭାରତୀୟମାନଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବାରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲା।

(ଚ) ଭାରତୀୟ ଜାତୀୟ କଂଗ୍ରେସର ମୂଳ ଲକ୍ଷ୍ୟ କ’ଣ ଥିଲା ?

ଭାରତୀୟ ଜାତୀୟ କଂଗ୍ରେସର ମୂଳ ଲକ୍ଷ୍ୟ ଥିଲା ଭାରତୀୟମାନଙ୍କ ମଧ୍ୟରେ ଜାତୀୟ ଚେତନାର ଅଭିବୃଦ୍ଧି କରିବା, ଦେଶାତ୍ମବୋଧ ଭାବର ପ୍ରସାର କରିବା ଓ ଜାତୀୟ ଏକତାର ବିକାଶ କରିବା।

୩. (କ) ଭାରତ କେଉଁ ଦିନ ସ୍ଵାଧୀନତା ପାଇଲା ?

ଭାରତ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ସ୍ଵାଧୀନତା ପାଇଲା।

(ଖ) କେଉଁ ଦିନ ଭାରତ ଏକ ସାର୍ବଭୌମ ରାଷ୍ଟ୍ରରେ ପରିଗଣିତ ହେଲା ?

୧୯୫୦ ମସିହା ଜାନୁୟାରୀ ମାସ ୨୬ ତାରିଖ ଦିନ ଭାରତ ଏକ ସାର୍ବଭୌମ ରାଷ୍ଟ୍ରରେ ପରିଗଣିତ ହେଲା।

(ଗ) କେଉଁ ମସିହାରେ ଭାରତରେ ଇଂରାଜୀ ଭାଷାର ପ୍ରଚଳନ ହେଲା ?

୧୮୩୫ ମସିହାରେ ଭାରତରେ ଇଂରାଜୀ ଭାଷାର ପ୍ରଚଳନ ହେଲା।

(ଘ) କେଉଁ ସ୍ୱାଧୀନଚେତା ଲେଖକମାନଙ୍କର ବୈପ୍ଳବିକ ଚିନ୍ତାଧାରା ଭାରତୀୟମାନଙ୍କୁ ପ୍ରୋତ୍ସାହିତ କରିଥିଲା ?

ମାଜିନୀ, ଗାରିବାଲିଡି, ଋଷୋ ଓ ମଣ୍ଟେକ୍ୟୁଙ୍କ ପରି ସ୍ୱାଧୀନଚେତା ଲେଖକମାନଙ୍କର ବୈପ୍ଳବିକ ଚିନ୍ତାଧାରା ଭାରତୀୟମାନଙ୍କୁ ପ୍ରୋତ୍ସାହିତ କରିଥିଲା।

(ଙ) କିଏ ‘ବିତ୍ତର ବହିଃ ପ୍ରବାହ ତତ୍ତ୍ବ’ର ପ୍ରବକ୍ତା ଥିଲେ ?

ଦାଦାଭାଇ ନାରୋଜୀ ‘ବିତ୍ତର ବହିଃ ପ୍ରବାହ ତତ୍ତ୍ବ’ର ପ୍ରବକ୍ତା ଥିଲେ।

(ଚ) କିଏ ‘ବ୍ରହ୍ମ ସମାଜ’ର ପ୍ରତିଷ୍ଠାତା ଥିଲେ ?

 ରାଜା ରାମମୋହନ ରାୟ ‘ବ୍ରହ୍ମ ସମାଜ’ (ବ୍ରାହ୍ମ ସମାଜ)ର ପ୍ରତିଷ୍ଠାତା ଥିଲେ।

(ଛ) କିଏ ‘ବନ୍ଦେ ମାତରମ୍’ ସଙ୍ଗୀତର ରଚୟିତା ଥିଲେ ?

ବଙ୍କିମ ଚନ୍ଦ୍ର ‘ବନ୍ଦେ ମାତରମ୍’ ସଙ୍ଗୀତର ରଚୟିତା ଥିଲେ।

(ଜ) ‘ରୟାଲ ଏସିଆଟିକ୍ ସୋସାଇଟି ଅଫ ବେଙ୍ଗଲ’ର ପ୍ରତିଷ୍ଠାତା କିଏ ଥିଲେ ?

ସାର୍ ଉଇଲିୟମ ଜୋନ୍ସ ‘ରୟାଲ ଏସିଆଟିକ୍ ସୋସାଇଟି ଅଫ ବେଙ୍ଗଲ’ର ପ୍ରତିଷ୍ଠାତା ଥିଲେ।

(ଝ) କିଏ ‘ଭାରତୀୟ ଜାତୀୟ କଂଗ୍ରେସ’ର ପ୍ରଥମ ଅଧୂବେଶନରେ ସଭାପତିତ୍ୱ କରିଥିଲେ ?

ଉମେଶ ଚନ୍ଦ୍ର ବାନାର୍ଜୀ ‘ଭାରତୀୟ ଜାତୀୟ କଂଗ୍ରେସ’ର ପ୍ରଥମ ଅଧୂବେଶନରେ ସଭାପତିତ୍ୱ କରିଥିଲେ।